ଆରପାରିରେ ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର କମଳା ଦାସ । କଟକ ଘରୋଇ ହସ୍ପିଟାଲରେ ୭୯ ବର୍ଷ ବୟସରେ ଦେହାନ୍ତ ।

ଫୁସଫୁସ୍ ସଂକ୍ରମଣରେ ଦୀର୍ଘ ଦିନ ଧରି ଥିଲେ ପୀଡିତ ।

391

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର କମଳା ଦାସଙ୍କ ପରଲୋକ । ଗତକାଲି କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଫୁସଫୁସ୍ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ । ୭୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସେ ଭୋଗରାଇ ଆସନରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୦ ମସିହାରେ ଶ୍ରୀମତୀ ଦାସ ଚାକିରି ଛାଡ଼ି ଜନତା ଦଳ ଟିକେଟରେ ଭୋଗରାଇ ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୫ରେ ସେହି ଜନତା ଦଳରୁ ପୁଣି ଥରେ ନିର୍ବାଚିତ ହୋଇଥିଲେ କମଳା ଦାସ । ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ କମଳା । ସେ ମଧ୍ୟ ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ୍ ମନ୍ତ୍ରୀ ପଦ ସମ୍ଭାଳିଥିଲେ ।

କମଳା ଦାସ ଓଡ଼ିଶା ରାଜନୀତିରେ ଜନତା ଦଳର ଜଣେ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ଗଠନ ପରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ।ଏବଂ ପରେ ବିଜେଡ଼ି ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ। କମଳା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ୟ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ। ।

କମଳା ଦାସ ଜନତା ଦଳର ପ୍ରତିନିଧି ଭାବରେ ୧୯୯୦ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହି ବିଧାନ ସଭାରେ ସେ ୧୯୯୦ ମସିହାରୁ ୧୯୯୫ ମସିହା ଯାଏଁ କାର୍ୟ୍ୟ କରିଥିଲେ। ବିଜୁ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ। ସେ ରାଜ୍ୟ ଶିକ୍ଷା ଓ ଯୁବ ସେବା ବିଭାଗର ମନ୍ତ୍ରୀ ଭାବରେ ପ୍ରଥମେ ୨୪ ଜୁଲାଇ ୧୯୯୦ରୁ ୪ ଜାନୁଆରୀ ୧୯୯୩ ଯାଏ କାର୍ୟ୍ୟ କରିଥିଲେ। ଏହାପରେ ସେ ୪ ଜାନୁଆରୀ ୧୯୯୩ରୁ ୧୫ ମାର୍ଚ୍ଚ ୧୯୯୫ ଯାଏଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ୟ୍ୟ କରିଥିଲେ।

୧୯୯୫ ମସିହାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ପୁଣିଥରେ ଜନତା ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ ମସିହାରୁ ୨୦୦୦ ମସିହା ଯାଏଁ ସେ କାର୍ୟ୍ୟ କରିଥିଲେ। ଏହି ସମୟରେ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ବିଜୁ ଜନତା ଦଳର ଗଠନ ହେଲା ଏବଂ କମଳା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ।

୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହ ୧୨ଶ ଓଡ଼ିଶା ବିଧାନ ସଭାରେ ସେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ଦୁଇଟି ବିଭାଗର ମନ୍ତ୍ରୀ ଥିଲେ। କମଳା ମହିଳା ଓ ଶିଶୁ ବିକାଶ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ୬ ମାର୍ଚ୍ଚ ୨୦୦୦ରୁ ୯ ଜୁଲାଇ ୨୦୦୧ ଯାଏଁ କାର୍ୟ୍ୟ କରିଥିଲେ।
ଏହାପରେ ସେ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ୨୦୧୪ ମସିହାରେ ସେ ପୁଣିଥରେ ବିଜୁ ଜନତା ଦଳକୁ ଫେରିଥିଲେ ।