ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁ ସଙ୍ଗିନ୍ ହେଲା ବନ୍ୟା ସ୍ଥିତି ! ରିଷିକେଶ, ହରିଦ୍ୱାରରେ ବଢ଼ିଲା ଗଙ୍ଗା ନଦୀର ଜଳସ୍ତର, ହାଇ ଆଲର୍ଟ ଜାରି ।

79

କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ପ୍ରଳୟଙ୍କରୀ ବନ୍ୟା । ନିଦ ହଜାଇଲା ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ ଗଙ୍ଗା ନଦୀ ଅତି ସାଂଘାତିକ ଭାବେ ଫୁଲିଛି । ଯେଉଁ ନଦୀକୁ ଉତ୍ତରାଖଣ୍ଡର ଲାଇଫ୍ ଲାଇନ୍ କୁହାଯାଏ ସେହି ନଦୀ ଏବେ ଉତ୍ତରାଖଣ୍ଡ ପାଇଁ ଆଣିଛି ଭୟଙ୍କର ଜଳପ୍ରଳୟ । ରିଷିକେଶରେ ଗଙ୍ଗାନଦୀର ଜଳସ୍ତର ବଢ଼ିବାରେ ଲାଗିଛି ଓ ସ୍ଥିତି ଏଭଳି ଜାରି ରହିଲେ ଆଗକୁ ଏହା ସଙ୍ଗିନ୍ ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି । ବନ୍ୟା ଯୋଗୁ ରିଷିକେଶର ଅନେକ ଘାଟ ଏବେ ବୁଡ଼ିଯାଇଛି । ଏପରିକି ତଳିଆ ଅଂଚଳରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି ।

କେରଳ ପରେ ଏବେ ପ୍ରକୃତିର କୋପ ସହିବାକୁ ଉତ୍ତରାଖଣ୍ଡର ପାଳି ପଡ଼ିଛି । ସ୍ଥିତିକୁ ଦେଖି ରାଜ୍ୟ ସରକାର ସତର୍କତା ଜାରି କରିଛନ୍ତି । ଲଗାଣ ବର୍ଷା ଯୋଗୁ ଅସମ୍ଭାଳ ହେବାରେ ଲାଗିଛି ପରିସ୍ଥିତି । ଉତ୍ତରାଖଣ୍ଡ କୋତୱାର୍ ଅଂଚଳରେ ଲଗାଣ ବର୍ଷାରେ ଫୁଲିଛି ପାହାଡ଼ି ନଈ । ଅତ୍ୟନ୍ତ ତୀବ୍ର ବେଗରେ ଏହା ଜନବସତି ଅଂଚଳକୁ ପ୍ରବେଶ କରୁଛି । ରାଜରାସ୍ତାରେ ପାଣି ଜମିଥିବା ବେଳେ ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି । ତେବେ କୋତୱାରରେ ଏଭଳି ସ୍ଥିତି ଜାରି ରହିଲେ ଆଗକୁ ସଙ୍ଗିନ୍ ହେବ ଅବସ୍ଥା ଏହା ନିଃସନ୍ଦେହ ।

ଉତ୍ତରାଖଣ୍ଡ ହରିଦ୍ୱାର ଅଂଚଳରେ ବନ୍ୟା ପାଣିରେ ଭାସିଯାଇଛି ତେଲ ଟ୍ୟାଙ୍କର । ତେଲ ନେଇ ଯାଉଥିବା ଟ୍ୟାଙ୍କର ବନ୍ୟା ପାଣିରେ ଖେଳଣା ପରି ଉବୁଟୁବୁ ହୋଇଛି । ଏହି ଘଟଣାଟି ୨ ଦିନ ତଳର ହୋଇଥିଲେ ମଧ୍ୟ ହରିଦ୍ୱାରରେ ଏବେ ବି ସ୍ଥିତି ସଙ୍ଗିନ୍ ରହିଛି । ଲଗାଣ ବର୍ଷା ଯୋଗୁ ଫୁଲିଛି ଗଙ୍ଗା ନଦୀ । ତଳିଆ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ସହରକୁ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି । ଫୁଲିଥିବା ନଈକୁ ବେଖାତିର୍ କରି ଟ୍ୟାଙ୍କର ଗାଡ଼ି ଆଗକୁ ନେବାପାଇଁ ଚେଷ୍ଟା କରିଥିଲା କିନ୍ତୁ ବନ୍ୟା ପାଣିରେ ଫସିଯାଇଥିଲା ତେଲ ଟ୍ୟାଙ୍କର । ସୌଭାଗ୍ୟବଶତଃ ଟ୍ୟାଙ୍କର ଡ୍ରାଇଭର ଜଣକ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ।