ଢେଙ୍କାନାଳରୁ ଆସିଲା ହିଂସା ଓ ପ୍ରତିହିଂସାର ଚିତ୍ର: ସାମାନ୍ୟ କଥା କଟାକଟିରୁ ଫୁଟିଲା ଗୁଳି

117

କନକ ବ୍ୟୁରୋ: ଗାଁ ଭିତରେ ଅଚାନକ ଶୁଭୁଥିଲା ଗୁଳି ଶବ୍ଦ । ସାମାନ୍ୟ ମାଟି ଖୋଳାକୁ ନେଇ ଆରମ୍ଭ ହୋଇଥିବା ବିବାଦରୁ ଗୁଳି ଫୁଟାଇ ଥିଲେ ପୂର୍ବତନ ୱାର୍ଡମେମ୍ବର ନୁରୁ ନାୟକ ଓ ତାଙ୍କ ସହଯୋଗୀ । ଆଉ ଗୁଳିମାଡରେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ପୂର୍ବତନ ୱାର୍ଡମେମ୍ବର ଦଳେଇ ନାୟକ ।

ସୂଚନା ଅନୁସାରେ ନୁରୁ ନାୟକ ଗାଁରେ ଏକ ପୋଖରୀ ଖୋଳୁଥିଲେ । ସେହି ପୋଖରୀର ମାଟିକୁ ଗାଁ ରାସ୍ତା ଦେଇ ଟ୍ରାକ୍ଟରରେ ବୋହି ନେଉଥିଲେ । କିନ୍ତୁ ମାଟି ପଡି ରାସ୍ତା ଖରାପ ହେଉଥିବାରୁ ଅନ୍ୟ ରାସ୍ତାରେ ମାଟି ବୋହିବାକୁ କହିଥିଲେ ଦଳେଇ ନାୟକ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାର କିଛି ସମୟ ପରେ ଦଳେଇ ନାୟକ ଘର ପାଖରେ ଛିଡା ହୋଇଥିବାବେଳେ ଅନ୍ୟମାନଙ୍କ ସମ୍ମୁଖରେ ନୁରୁ ଗୁଳି କରିଥିବା ଅଭିଯୋଗ ହୋଇଛି ।

ଦଳେଇ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ଗୁଳିମାଡ କରିଥିବା ଯୁବକଙ୍କ ପତ୍ନୀ ଓ ପୁଅଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଢ଼େଂକାନାଳ ମେଡିକାଲରେ ଭର୍ତି କରାଯାଇଛି । ଏତିକିରେ ମୃତକଙ୍କ ସମ୍ପର୍କୀୟଙ୍କ ରାଗ ଥମି ନଥିଲା । ଅଭିଯୁକ୍ତଙ୍କ ବଡ ଭାଇଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ଚଳିତ ବର୍ଷ ଦଳେଇ ନାୟକଙ୍କ ବିପକ୍ଷରେ ନୁରୁ ନାୟକ ୱାର୍ଡ ମେମ୍ବର ପ୍ରାର୍ଥୀ ହୋଇଥିଲେ । ହେଲେ ସେ ପରାଜିତ ହୋଇଥିଲେ । ଏହା ସହ ପୂର୍ବରୁ ମଧ୍ୟ ଦୁଇ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଆଉ ଏବେ ସେହି ବିବାଦ ଉଗ୍ର ରୂପ ନେଇଛି । ପରସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗୁଳି କରିଥିବା ଯୁବକଙ୍କ ମଧ୍ୟରୁ ଜଣକୁ ଗିରଫ କରିଛି ପୋଲିସ । ତେବେ ଏକ ଗାଁ ଭିତରେ ଗୁଳିମାଡ ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି ।