ଭୁବନେଶ୍ୱରରୁ ବାଂଲାଦେଶ ଚାଲିଗଲା ଲୁଟ୍ ଟଙ୍କା: ଫ୍ଲାଇଟରେ ଆସି ଲୁଟ୍ କଲେ, ପୋଲିସ ଆଖିରେ ଧୂଳି ଦେଇ ଟ୍ରେନରେ ଫେରାର ହେଲେ

1,456

କନକ ବ୍ୟୁରୋ: ଏଟିଏମ ମେସିନ ତାଡିବା ପାଇଁ ଆମେମାନେ ଦୀର୍ଘଦିନ ଧରି ଭୁବନେଶ୍ୱରରେ ଡେରା ପକାଇଥିଲୁ । ଲୁଟ୍ ପାଇଁ ଲିଙ୍ଗିପୁର ହିଁ ଏକମାତ୍ର ସ୍ଥାନ ବୋଲି ଚିହ୍ନଟ କରିଥିଲୁ । ବ୍ଲ ପ୍ରିଂଟ ପ୍ରସ୍ତୁତ କରିବା ପରେ, ରାତିତମାମ ରେକି କରିଥିଲୁ । ପୂର୍ବ ପ୍ରସ୍ତୁତି ଅନୁସାରେ ରାସ୍ତାକଡରୁ ଗାଡି ଚୋରି କରି, ଏଟିଏମ ପାଖରେ ପଂହଚିଥିଲୁ । ପୁଲିସ ଆଗରେ ଏମିତି ବୟାନ ଦେଉଥିଲେ ଦୁଇ ଲୁଟେରା । ଆଉ ମେସିନଟିକୁ ତାଡି ଚୋରା ଗାଡିରେ ଲଦି ୨୦ ଲକ୍ଷ ଟଙ୍କା ଲୁଟ କରିବା ପରେ ମେସିନକୁ ନଦୀବନ୍ଧ ତଳକୁ ଫୋପାଡି ପୁଲିସ ଆଖିରେ ଧୁଳି ଦେଇ ଫେରାର ହୋଇଯାଇଥିଲେ । ଆଉ ଏତେ ସବୁ ଘଟଣା ଘଟିଯାଇଥିଲେ ବି ପୁଲିସ କିଭଳି କିଛି ସୁରାକ ପାଇଲା ନାହିଁ ଏ ସବୁର ଗୋଟି ଗୋଟି କରି ପୁଲିସ ଆଗରେ ଡୋମୋ ଦେଖାଉଥିଲେ ଡକାୟତ ଗ୍ୟାଙ୍ଗର ଗିରଫ ଅପରାଧୀ ।

ଏଟିଏମରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିବା ପରେ ଡକାୟତ ଗ୍ୟାଙ୍ଗର ୬ ଜଣ ସଦସ୍ୟ ଅଲଗା ଅଲଗା ରହୁଥିଲେ । ଟଙ୍କା ବ୍ୟାଗ ଧରି ଦୁଇ ଅଭିଯୁକ୍ତ ଖୋକନ ଆଉ ମିଜାନୁର ଭୁବନେଶ୍ୱର ରେଳଷ୍ଟେସନର ୬ ନମ୍ବର ଫ୍ଲାଟଫର୍ମରେ ରାତି କାଟିଥିଲେ । ଆଉ ୭ ନମ୍ବର ସଦସ୍ୟଙ୍କଠାରୁ ଗ୍ରୀନ ସିଗନାଲ ପାଇବା ମାତ୍ରେ ଟଙ୍କା ବ୍ୟାଗଗୁଡିକୁ ତାକୁ ହସ୍ତାନର କରିଥିଲେ । ଆଉ ଏହି ୭ ନମ୍ବର ଡକାୟତ ଥିଲା ହ୍ୟୁମାନ କୋରିୟର , ଯିଏ ଟଙ୍କା ଭର୍ତି ବ୍ୟାଗ ଧରି ଗୋଟିଏ ଚୁଟକିରେ ବାଂଲାଦେଶ ପଠାଇବାରେ ସଫଳ ହୋଇଥିଲା । ଆଉ ଲୁଟ ଟଙ୍କାର ଗନ୍ଧ ପାଉନଥିବା କମିଶନରେଟ ପୁଲିସ ଏ ନେଇ ଇଂଟରପୋଲ ସହ ଯୋଗାଯୋଗ କରିବାକୁ ପ୍ରସ୍ତୁତ ହେଉଛି ।

ଏବେ ପ୍ରଶ୍ନ ଉଠୁଛି, କମିଶନରେଟ ପୁଲିସକୁ ରାଜ୍ୟର ସବୁଠାରୁ ସଙ୍ଗଠିତ ଓ ବ୍ୟବସ୍ଥିତ ପୁଲିସ କୁହାଯାଉଥିବାବେଳେ ବାଂଲାଦେଶୀ ଡକାୟତ ଭୁବନେଶ୍ୱରରେ ଏଟିଏମ ମେସନି ତାଡିନେଲେ କିଭଳି ?
– କାହିଁକି ଡକାୟତମାନେ ଭୁବନେଶ୍ୱରକୁ ବନାଇଲେ ସଫ୍ଟ ଟାର୍ଗେଟ ?
-କେତେ ସଫଳ ହେଲା କମିଶନରେଟ ପୁଲିସର ‘ମିଶନ ଇମ୍ପୋସିବଲ’?