ହିରୋଇନଙ୍କୁ ସିନେମା ଦେବାକୁ କହି ପ୍ରଡ୍ୟୁସର ବନିଥିଲା ମିଛ ପ୍ରଯୋଜକ । ପ୍ରତିଷ୍ଠିତ ପ୍ରଯୋଜକଙ୍କ ଫଟୋ ଲଗାଇ ବର୍ଷ ବର୍ଷ ଧରି କରୁଥିଲା ହ୍ୱାଟ୍ସ ଆପ୍ ଚାଟ୍

216

କନକ ବ୍ୟୁରୋ : ଓଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରି ଯେତେବେଳେ ସଂଘର୍ଷ କରୁଛି । କୌଣସି ଫିଲ୍ମରେ ଅଭିନୟ କରିବା ପାଇଁ ନୂଆ ନୂଆ କଳାକାର ସୁଯୋଗ ଖୋଜୁଛନ୍ତି । ସେତିକି ବେଳେ କିଛି ଠକ ନିଜକୁ ବଡ ପ୍ରଯୋଜକର ପରିଚୟ ଦେଇ ନବାଗତ ଅଭିନେତ୍ରୀଙ୍କୁ ଅଭିନୟ କରିବାର ସୁଯୋଗ ଦେବାକୁ କହି ଠକୁଛନ୍ତି । ଅଭିନେତ୍ରୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ମିଛ ପ୍ରଯୋଜକ ସାଜିଥିବା ମିଥୁନ ଭୋଇ ଗିରଫ ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ନକଲି ଆଇଡିରୁ ଅଭିନେତ୍ରୀଙ୍କୁ ମେସେଜ କରୁଥିବା ମାମଲାରେ ଗିରଫ ହୋଇଛି ଅଭିଯୁକ୍ତ ମିଥୁନ ଭୋଇ । ଅଭିନେତ୍ରୀ ଓ ନବାଗତାଙ୍କୁ ଫିଲ୍ମ ଦେବାର ପ୍ରଲୋଭନ ଦେଖାଇ ପ୍ରଯୋଜକ ସଂଜୟ ନାୟକଙ୍କ ନାଁରେ ଠକେଇ କରୁଥିଲା ଅଭିଯୁକ୍ତ ମିଥୁନ ଭୋଇ ।

ଏପରିକି ପ୍ରତିଷ୍ଠିତ ପ୍ରଯୋଜକ ସୁଧାଂଶୁ ସାହୁ ଓ ସଂଜୟ ନାୟକଙ୍କ ଫଟୋ ଲଗାଇ ହ୍ୱାଟ୍ସଆପରେ ଚାଟ୍ କରୁଥିଲା ଅଭିଯୁକ୍ତ ମିଥୁନ । ଅଭିଯୁକ୍ତ ମିଥୁନ ଭୋଇ ବିରୋଧରେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଓ ପ୍ରଯୋଜକ ସଂଜୟ ନାୟକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି କଟକର ଏକ ସୁଟିଂ ସେଟରୁ ମିଥୁନକୁ ଗିରଫ କରିଛି ପୋଲିସ । ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ଖୋଲି ଯୁବତୀଙ୍କ ସହ କଥା ହେଉଥିବା ପୋଲିସ ଆଗରେ ଅଭିଯୁକ୍ତ ମିଥୁନ ଭୋଇ ମାନି ଯାଇଥିବା ଜଣାପଡିଛି । ପ୍ରାୟ ୧ବର୍ଷ ହେବ ସୋସିଆଲ ମିଡିଆରେ ନକଲି ଆକାଉଂଟ ଖୋଲି ଓଲିଉଡର ବିଭିନ୍ନ ପ୍ରତିଷ୍ଠିତ ଲୋକଙ୍କ ନାଁରେ ଅଭିନେତ୍ରୀ ମାନଙ୍କୁ ମେସେଜ କରୁଥିଲା । ଅଭିଯୁକ୍ତ ମିଥୁନ ଭୋଇକୁ ସଦର ଥାନା ପୋଲିସ ଗିରଫ କରିବା ପରେ ସିଆରପିସି ୪୧ ଧାରାରେ ନୋଟିସରେ ଛାଡିଛି ପୋଲିସ ।