ଟ୍ୱିଟର ପରେ ଫେସବୁକରେ ହେବ ଛଟେଇ : ପ୍ରଥମ ଥର ପାଇଁ କମ୍ପାନୀରୁ ବାହାରିବେ ଅନେକ କର୍ମଚାରୀ

357

କନକ ବ୍ୟୁରୋ : ଟ୍ୱିଟର ପରେ ଫେସବୁକରେ ହେବ ଛଟେଇ । ପ୍ରଥମ ଥର ପାଇଁ ଅନେକ କର୍ମଚାରୀ କମ୍ପାନୀରୁ ବାହାରିବେ । ମେଟା ପାଇଁ କାର୍ଯ୍ୟ କରୁଛନ୍ତି ୮୭ ହଜାର ୩୧୪ ଜଣ । ଏଲନ୍ ମସ୍କ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟରୁ ୩ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି  ।

୨୦୦୪ରେ ଫେସବୁକ୍‌ ନାମରେ କମ୍ପାନୀର ପ୍ରତି‌ଷ୍ଠା ହୋଇଥିଲା । ଏହା ପରେ ପ୍ରଥମ ଥର ଲାଗି କମ୍ପାନୀରେ ବ୍ୟାପକ ଛଟେଇ ହେବାକୁ ଯାଉଛି । ମେଟା ପାଇଁ ୮୭,୩୧୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସଂଖ୍ୟା କେତେ ହ୍ରାସ ପାଇବ ତାହା ଜଣାପଡ଼ିନାହିଁ । କିନ୍ତୁ ହଜାର ହଜାର କର୍ମଚାରୀ ଚାକିରି ହରାଇବେ ବୋଲି କୁହାଯାଉଛି । ମାର୍କ ଜୁକରବର୍ଗଙ୍କ ଦ୍ବାରା ପରିଚାଳିତ ମେଟା ଗତ କିଛି ମାସ ହେଲାଣି ଭଲ ପ୍ରଦର୍ଶନ କରୁନାହିଁ । ସେଥିପାଇଁ କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷଙ୍କ ଉପରେ ନିବେଶକଙ୍କ ତରଫରୁ ଚାପ ରହିଛି । କମ୍ପାନୀର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଛଟେଇକୁ ଏକ ମାଧ୍ୟମ ଭାବେ ବ୍ୟବହାର କରାଯାଉଥିବା ଅନୁମାନ କରାଯାଉଛି । ଅନ୍ୟ ପକ୍ଷରେ, ଟ୍ବିଟର ଭାରତରେ ଏହାର ୯୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି ।

ଏଭଳି ବଡ଼ ଧରଣର ଛଟେଇ ପାଇଁ କମ୍ପାନୀର ନୂଆ ମାଲିକ ଏଲନ୍ ମସ୍କଙ୍କୁ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିନ୍ଦା କରିଛନ୍ତି । ଟ୍ବିଟର ପାଇଁ ଭାରତରେ ୨୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ । ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ବିକଳ୍ପ ବ୍ୟବସ୍ଥା କରିବା ଲାଗି କମ୍ପାନୀ ଯଥେଷ୍ଟ ସମୟ ଦେବାର ଥିଲା ବୋଲି ବୈଷ୍ଣବ କହିଛନ୍ତି । ଆଉ ଏକ ଖବର ମିଳିଛି ଯେ ଟ୍ବିଟର ବିଦା କରିଥିବା କିଛି କର୍ମଚାରୀଙ୍କୁ ପୁଣି ଥରେ କର୍ମ କ୍ଷେତ୍ରକୁ ଫେରିବା ଲାଗି ଡାକିଛି । କେତେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅସୁବିଧା ଦେଖାଦେବା ପରେ କଂପାନି କିଛି କର୍ମଚାରୀଙ୍କୁ ଫେରିବାକୁ କହିଛି ।