ପଦ୍ମପୁର ପାଇଁ ବିଜେଡିର ପ୍ରସ୍ତୁତି । ଜୋନ୍ ଜଗିବେ ସ୍ଥାନୀୟ ନେତା, ବ୍ଲକ ଜଗିବେ ହେଭିୱେଟ ମନ୍ତ୍ରୀ ।

468

କନକ ବ୍ୟୁରୋ : ବିଜେଡିର ମିଶନ ପଦ୍ମପୁର । ଧାମନଗରରେ ବିଜେଡି ପରାଜିତ ହୋଇଥିବା ବେଳେ ପଦ୍ମପୁର ଉପ-ନିର୍ବାଚନରେ ଏହାର ଭରଣା କରିବାକୁ ଅଣ୍ଟା ଭିଡ଼ିଛି । ନିର୍ବାଚନକୁ ଗୋଟିଏ ମାସରୁ କମ ସମୟ ଥିବା ବେଳେ ଏଠାରେ ପୁଣିଥରେ କମବ୍ୟାକ୍ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପଦ୍ମପୁର ନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି । ପ୍ରାଥମିକ ପର୍ଯ୍ୟାୟରେ ୬ ମନ୍ତ୍ରୀଙ୍କୁ ପଦ୍ମପୁର ଦାୟିତ୍ୱ ଦିଆଯାଇଛି । ଯେଉଁମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ହେଭିୱେଟ ମନ୍ତ୍ରୀ ରହିଛନ୍ତି । ପଦ୍ମପୁର ପାଇଁ ନିରଞ୍ଜନ ପୂଜାରୀ, ନବ ଦାସ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରୀତା ସାହୁ, ରୋହିତ ପୂଜାରୀଙ୍କୁ ଦଳ ଦାୟିତ୍ୱ ଦେଇଛି ।

୩ ବ୍ଲକ ଦାୟିତ୍ୱରେ ୩ ମନ୍ତ୍ରୀ ରହିବେ । ପଦ୍ମପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ଦାୟିତ୍ୱରେ ମନ୍ତ୍ରୀ ନବ ଦାସ, ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରହିବେ । ଯେଉଁମାନଙ୍କ ଉପରେ ପୂରା ବ୍ଲକର ଦାୟିତ୍ୱ ରହିବ । ସେହିଭଳି ନିର୍ବାଚନ ପରିଚାଳନା ଦାୟିତ୍ୱରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ରହିବେ । ଅନ୍ୟପଟେ ଜୋନସ୍ତରରେ ମଙ୍ଗ ଧରିବେ ପଶ୍ଚିମ ଓଡ଼ିଶା ନେତା । ତେବେ ସମ୍ପୂର୍ଣ୍ଣ ପ୍ରଚାରର ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଅନ୍ୟ ନେତାଙ୍କୁ ମଧ୍ୟ ଦଳ ଖୁବଶୀଘ୍ର ଦାୟିତ୍ୱ ଦେବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇବ ।

ଧାମନଗର ପରାଜୟ ପରେ ପଦ୍ମପୁର ଉପ-ନିର୍ବାଚନ ଏବେ ବିଜେଡି ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ପଦ୍ମପୁରରେ ନିଜ ଆସନ ବଜାୟ ରଖିବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇବ ବିଜେଡି । ଅନ୍ୟପଟେ ଧାମନଗରର ପୁନରାବୃତ୍ତି ପଦ୍ମପୁରରେ ଦେଖିବାକୁ ମିଳିବ ବୋଲି ଏବେଠୁ ଜୋର ଦେଇ କହିଲାଣି ବିଜେପି । ତେଣୁ ୨୦୨୪ ନିର୍ବାଚନ ପୂର୍ବରୁ ପଦ୍ମପୁର ଆସନ ହାତେଇବାକୁ ଉଭୟ ଦଳ ଆରମ୍ଭ କରିଛନ୍ତି କସରତ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି ସତ କିନ୍ତୁ ପଦ୍ମପୁରରେ କାହାକୁ ପ୍ରାର୍ଥୀ କରିବ ତାହା ଏଯାବତ ସସପେନ୍ସ ହୋଇ ରହିଛି ।