ସତ୍ୟପାଠ ନୁହେଁ ମିଥ୍ୟାପାଠ ! ନିର୍ବାଚନୀ ଖର୍ଚ୍ଚର ହିସାବକିତାବ . . ଦେଖନ୍ତୁ କନକନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ

30

କନକ ବ୍ୟୁରୋ : ନିର୍ବାଚନ ପାଣ୍ଠି ଅନିୟମିତତା ମାମଲାରେ ଜୋର ଧରିଛି ରାଜନୀତି । ଗୋଟିଏ ରାଜନୈତିକ ଦଳ ଆଉ ଗୋଟିଏ ରାଜନୈତିକ ଦଳକୁ ପ୍ରଶ୍ନ କରୁଛି- ନିର୍ବାଚନୀ ଖର୍ଚ୍ଚ ବାବଦରେ ନିର୍ବାଚନ କମିଶନଙ୍କ ନିକଟରେ କାହିଁକି ଭୁଲ୍ ତଥ୍ୟ ଦିଆଯାଉଛି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚରେ ତାଳମେଳ ନାହିଁ ବୋଲି ଅଭିଯୋଗ ଆସିଛି । କିନ୍ତୁ ଏହି ବାଦବିବାଦ ଭିତରେ ଆଉ ଏକ ଚାଚଂଲ୍ୟକର ତଥ୍ୟ ସାମନାକୁ ଆସିଛି । ପ୍ରାର୍ଥୀ ଖର୍ଚ୍ଚ କରୁଛନ୍ତି କେତେ- ଏବଂ ଦେଖାଉଛନ୍ତି କେତେ? ଆମେ ଆଜି ଆପଣଙ୍କୁ ଦେଖାଉଛୁ- ନିର୍ବାଚନୀ ଖର୍ଚ୍ଚର ହିସାବକିତାବ ।
ଦେଖନ୍ତୁ କନକନ୍ୟୁଜର ଅନୁସନ୍ଧାନମୂଳକ ରିପୋର୍ଟ – ସତ୍ୟପାଠ, ନୁହେଁ ମିଥ୍ୟାପାଠ ।.

ନିର୍ବାଚନୀ ଖର୍ଚ୍ଚ ନିର୍ବାଚନ କମିଶନଙ୍କ ପାଖରେ : 

ବିିଧାୟକ ପ୍ରାର୍ଥୀ                      ନିର୍ବାଚନକ୍ଷେତ୍ର                          ଖର୍ଚ୍ଚ ପରିମାଣ
ନବୀନ ପଟ୍ଟନାୟକ                    ହିଂଜିଳି                                ୧୭.୨୭ ଲକ୍ଷ
କେ.ଭି. ସିଂହଦେଓ                    ପାଟଣାଗଡ଼                             ୧୨.୪୫ ଲକ୍ଷ
ନରସିଂହ ମିଶ୍ର                        ବଲାଙ୍ଗୀର                             ୧୧.୨୪ ଲକ୍ଷ
ଦାମୋଦର ରାଉତ                    ପାରାଦୀପ                             ୧୧.୩୬ ଲକ୍ଷ
ପ୍ରତାପ ଦେବ                        ଆଳି                                  ୧୭.୯୯ ଲକ୍ଷ

ସାଂସଦ ପ୍ରାର୍ଥୀ                      ନିର୍ବାଚନକ୍ଷେତ୍ର                           ଖର୍ଚ୍ଚ ପରିମାଣ
ଜୁଏଲ ଓରାମ                        ସୁନ୍ଦରଗଡ଼                              ୪୮.୪୬ ଲକ୍ଷ
ପିନାକୀ ମିଶ୍ର                          ପୁରୀ                                 ୩୩.୫୦ ଲକ୍ଷ

ଏ ହେଉଛି କେବଳ ୫ ବିଧାୟକ ଓ ୨ ସାଂସଦଙ୍କ ଖର୍ଚ୍ଚର ପରିମାଣ ଯାହାକି ସେମାନେ ଖର୍ଚ୍ଚ ସତ୍ୟପାଠରେ ନିର୍ବାଚନ କମିଶନଙ୍କ ନିକଟରେ ଦର୍ଶାଇଛନ୍ତି । ଜଣେ ବିଧାୟକଙ୍କ ପାଇଁ ଖର୍ଚ୍ଚର ସୀମା ୨୮ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଜଣେ ସାଂସଦଙ୍କ ପାଇଁ ଏହା ୭୦ ଲକ୍ଷ ଟଙ୍କା ରଖାଯାଇଛି । ଏବେ ନଜର ପକାନ୍ତୁ ପ୍ରକୃତରେ ରାଜ୍ୟର ଜଣେ ବିଧାୟକ ପ୍ରାର୍ଥୀ ନିର୍ବାଚନରେ କେତେ ଖର୍ଚ୍ଚ କରନ୍ତି ।

ଆମେ କିଛି ନିର୍ବାଚିତ ବିଧାୟକ ଓ କିଛି ପରାଜିତ ପ୍ରାର୍ଥୀଙ୍କ ସହ ସେମାନଙ୍କ ନିର୍ବାଚନୀ ଖର୍ଚ୍ଚ ବାବଦରେ କଥା ହୋଇଥିଲୁ । ଏବଂ ସେମାନେ ଯାହା କହିଲେ, ତାହା ଶୁଣି ଆମେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଜଣେ ଜଣେ ବିଧାୟକ ପ୍ରାର୍ଥୀ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସେମାନେ ସତ୍ୟପାଠରେ ଦର୍ଶାଇଥିବା ଖର୍ଚ୍ଚଠାରୁ ଏହା ୧୫ରୁ ୨୦ଗୁଣ ଅଧିକ ହେବ ବୋଲି କୁହାଯାଉଛି ।

ଏବେ ନଜର ପକାନ୍ତୁ ଜଣେ ବିଧାୟକ ପ୍ରାର୍ଥୀଙ୍କୁ କେଉଁ ବାବଦରେ କେତେ ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ଗୋଟିଏ ନିର୍ବାଚନ ମଣ୍ଡଳୀରେ ରହିଛି ପ୍ରାୟ ୨୦୦ରୁ ଅଧିକ ବୁଥ୍ । ପ୍ରତି ବୁଥ୍ ପିଛା ପ୍ରାର୍ଥୀ ଖର୍ଚ୍ଚ କରୁଛନ୍ତି ପ୍ରାୟ ୧୦ ହଜାର ଟଙ୍କା ଅର୍ଥାତ୍ ୨୦୦ ବୁଥ୍ ପାଇଁ ଖର୍ଚ୍ଚ ହେବ ୨୦ ଲକ୍ଷ ଟଙ୍କା ।

ପ୍ରତି ରାଲି/ରୋଡ୍ ସୋ ପିଛା ଅତିକମ୍ରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ, ୨୦ଟି ରାଲି କିମ୍ବା ସୋ ପାଇଁ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା ।

ପ୍ରତି ପଂଚାୟତ ପାଇଁ କର୍ମୀ ଖର୍ଚ୍ଚ ୧ ଲକ୍ଷ ହେଲେ, ନିର୍ବାଚନମଣ୍ଡଳୀରେ ଥିବା ୬୦ଟି ପଂଚାୟତ ପାଇଁ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା ।

ହୋର୍ଡିଂ/ବ୍ୟାନର ବାବଦରେ ଖର୍ଚ୍ଚ ହେବ ପ୍ରାୟ ୧୦ ଲକ୍ଷ
ମୋଟ: ୧ କୋଟି ୫୦ ଲକ୍ଷ

ଏହାପରେ ଭୋଟରଙ୍କୁ ଟଙ୍କା ବଂଟାଗଲେ ଏହା ପ୍ରାୟ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଯାଉଛି । ଅର୍ଥାତ୍ ଜଣେ ବିଧାୟକ ପ୍ରାର୍ଥୀ ସ୍ଥଳ ବିଶେଷରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଆକଳନ କରାଯାଉଛି । ଦଳ ଦେଉଥିବା ପୋଷ୍ଟର ଓ ବ୍ୟାନର ଭଳି କେତେକ ଖର୍ଚ୍ଚକୁ ଏଥିରେ ସାମିଲ କରାଯାଉନାହିଁ ।

କିନ୍ତୁ ନିର୍ବାଚନ କମିଶନଙ୍କ ନିକଟରେ ପ୍ରାର୍ଥୀ ରଖୁଛନ୍ତି ଭିନ୍ନ ତଥ୍ୟ । ବିଧାୟକ ପ୍ରାର୍ଥୀମାନେ ୧୦ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଥିବା ଦର୍ଶାଉଛନ୍ତି । ଆଇନର ଗଳା ବାଟରେ କେମିତି ଖସିଯାଇ ହେବ ତାହା ନେତାଙ୍କୁ ବେଶ୍ ଜଣା ।