କମିବନି ପେଟ୍ରୋଲ୍ ଏବଂ ଡିଜେଲ୍ ଦର ! ସ୍ପଷ୍ଟ କଲେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ
କନକ ବ୍ୟୁରୋ : ବଢିବାରେ ଲାଗିଛି ପେଟ୍ରୋଲ୍ ଏବଂ ଡିଜେଲ୍ ଦର । ବିଗତ ଦୁଇ ମାସ ଭିତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି । ଯାହା ଏବେ ଗ୍ରାହକଙ୍କ ମଧ୍ୟରେ ଅଶାନ୍ତିର ମଂଜି ପୋତିଛି । ଏହା ଭିତରେ ଆସିଛି ଆଉ ଏକ ବଡ ଖବର । ଗ୍ରାହକଙ୍କ ଏହି ଅଶାନ୍ତିକୁ ବଢାଇଦେଇଛି ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ବୟାନ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଉତ୍ପାଦନ ଶୁଳ୍କ ହ୍ରାସ କରିବା ଭଳି ସ୍ତରରେ ନାହିଁ । ତେଣୁ ନିକଟ ଭବିଷ୍ୟତରେ ଏହି ଦର ଏବଂ ଉତ୍ପାଦନ ଶୁଳ୍କ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଜୁଲାଇ ୧ଠାରୁ ତେଲ ଦରରେ ଦୈନିକ ପରିବର୍ତ୍ତନ ହେବ ବୋଲି ସରକାର ନିଷ୍ପତି ନେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ମେ’ ପହିଲାରୁ ଏହି ଦର ଦେଶର ୫ଟି ସହରରେ ଲାଗୁ କରାଯାଇଥିଲା । ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଭାଇଜାଗ୍, ରାଜସ୍ଥାନର ଉଦୟପୁର, ଝାଡଖଣ୍ଡର ଜାମସେଦପୁର ଏବଂ ଚଣ୍ଡିଗଡ଼ରେ ଏହି ନୂଆ ନିୟମ ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପରେ ସାରା ଦେଶରେ ପ୍ରାୟ ୫୮ହଜାର ପେଟ୍ରୋଲ ପମ୍ପରେ ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଏହି ନିୟମ ଲାଗୁ କରାଯାଇଛି । ଅର୍ନ୍ତଜାତୀୟ ତୈଳ ଦରକୁ ନଜରରେ ରଖି ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ ଓ ଡିଜେଲ ଦର ବଦଳିଥାଏ । ଏବେ ଏହା ପ୍ରତିଦିନ ବଦଳୁଛି ।
ତେବେ ଯେବେଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି ସେବେଠାରୁ ପେଟ୍ରୋଲ୍ ଲିଟର ପିଛା ୬ ଟଙ୍କାରୁ ଅଧିକ ବଢିଥିବା ବେଳ ଡିଜେଲ୍ ମୂଲ୍ୟରେ ୩ଟଙ୍କା ୮୬ ପଇସା ବୃଦ୍ଧି ହୋଇ ସାରିଛି । ସେହିପରି ପେଟ୍ରୋଲିୟମ୍ ମନ୍ତ୍ରାଳୟ ଅନୁଯାୟୀ, ବର୍ତ୍ତମାନ ପେଟ୍ରୋଲ୍ ଉପରେ ୨୧.୪୮ଟଙ୍କା ଶୁଳ୍କ ଥିବା ବେଳେ ଏବଂ ଡିଜେଲ୍ ଉପରେ ରହିଛି ୧୭.୩୩ ଟଙ୍କା ଶୁଳ୍କ ।
ସରକାର ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଧାରଣ ପ୍ରକ୍ରିୟାକୁ ନିୟନ୍ତ୍ରଣମୁକ୍ତ କରିଛନ୍ତି । ୨୦୧୦ରେ ପେଟ୍ରୋଲ୍ ଏବଂ ୨୦୧୪ରେ ଡିଜେଲ ଦର ନିର୍ଧାରଣ କରିବାର ସ୍ୱାଧୀନତା କଂପାନିଗୁଡ଼ିକୁ ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରର ମୂଲ୍ୟ ଓ ଡଲାର ଏବଂ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଏବଂ ଡିଜେଲ ଦର ନିର୍ଧାରଣ କରୁଛନ୍ତି ।
ତେବେ କିଛି ଦିନ ତଳେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖି ପେଟ୍ରୋଲ୍ ଏବଂ ଡିଜେଲ୍ ଶୁଳ୍କ କମ୍ କରିବା ପାଇଁ ଅନୁରୋଧ କରିଥିଲେ । ଅରୁଣ ଜେଟଲୀଙ୍କ କହିବା ଅନୁଯାୟୀ , ପେଟ୍ରୋଲ୍ ,ଏବଂ ଡିଜେଲ୍ ଜିଏସଟି ଅନ୍ତର୍ଭୁକ୍ତ ନୁହେଁ । ତେଣୁ ଏଥିରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଲାଭ ମଧ୍ୟ ମିଳୁନଥିବାରୁ ଉତ୍ପାଦନ ଶୁଳ୍କ ବୃଦ୍ଧି ହେଉଛି । ତେଣୁ ରାଜ୍ୟ ସରକାର ପେଟ୍ରୋଲ୍ ଏବଂ ଡିଜେଲ୍ ଶୁଳ୍କକୁ ନିଜ ହିସାବରେ କମ୍ କରିପାରିବେ ।
ପିପିଏସି ରିପୋର୍ଟ ମୂତାବିକ୍ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଅତ୍ୟଧିକ ଭାଟ୍ ଲାଗୁ କରାଯାଇଛି । ମହାରାଷ୍ଟ୍ରରେ ୪୮.୯୮ ପ୍ରତିଶତ ଥିବା ବେଳେ ଆନ୍ଧ୍ରପ୍ରଦେଶରେ ଅଛି ୩୧.୦୬ ପ୍ରତିଶତ ।
ଅନ୍ୟପଟେ ଧର୍ମେନ୍ଦ୍ର ପଧାନ କହିଛନ୍ତି ଖୁବ୍ ଶୀଘ୍ର ଜିଏସଟିରେ ପେଟ୍ରୋଲ୍ ଏବଂ ଡିଜେଲ୍ ସାମିଲ୍ କରାଯିବ । ଏହା ସହ କହିଛନ୍ତି ସରକାର ସମସ୍ତ ରାଜ୍ୟସହ ବୁଝାମଣା କରିବାକୁ ଚେଷ୍ଟା କରୁଛି । ଏହା ସଫଳ ହେଲେ ଖୁବ୍ ଶୀଘ୍ର ପେଟ୍ରୋଲ୍ ଏବଂ ଡିଜେଲ୍ ମଧ୍ୟ ଜିଏସଟିରେ ସାମିଲ୍ ହୋଇଯିବ । ଫଳରେ ଏଥିରେ ଦର ନିୟନ୍ତ୍ରଣାଧୀନ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।