ସରକାରୀ ମଣ୍ଡିରେ କାମ କରିବାର ବର୍ଷେ ପରେ ବି ମିଳୁନି ପାଉଣା: ଲ୍ୟାମ୍ପସ୍ ପରିଚାଳକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଖଲାସୀ ଶ୍ରମିକ

69

କନକ ବ୍ୟୁରୋ: ଗରିବ ଶ୍ରମିକଙ୍କୁ ଠକି ଦେଉଛନ୍ତି ଲ୍ୟାମ୍ପସ ଶାଖା ପରିଚାଳକ । ଗତ ବର୍ଷ ଧାନ ମଣ୍ଡିରେ ଖଲାସୀ କାମର ବର୍ଷେ ପରେ ବି ଶ୍ରମିକଙ୍କୁ ମିଳିପାରୁନି ସେମାନଙ୍କ ପ୍ରାପ୍ୟ । ମଣ୍ଡିରେ କାମ କରି ଗୁଜୁରାଣ ମେଂଟଉଥିବା ଖଲାସୀ ଦୈନିକ ମଜୁରୀ ନପାଇ ମାନସିକ ନିର୍ଯ୍ୟାତନା ସହୁଛନ୍ତି । ନବରଙ୍ଗପୁର କୋଡ଼ିଙ୍ଗା ଲ୍ୟାମ୍ପସ୍ ପରିଚାଳକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଥିବା ବେଳେ ଶାଖା ପରିଚାଳକ କିନ୍ତୁ ଏହାକୁ ଖଣ୍ଡନ କରିବା ସହ ପାଲଟା ଶ୍ରମିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ମଣ୍ଡିରେ ଧାନ ବସ୍ତା ବୋହି ପେଟ ପୋଷିବାକୁ ଆଶା ରଖିଥିଲେ ଶ୍ରମିକ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଲ୍ୟାମ୍ପସ ଅଧିନରେ ଥିବା ମଦେଇଗାଁ ଧାନ ମଣ୍ଡିରେ ଗତବର୍ଷ ଖରିଫ ଧାନ ସଂଗ୍ରହ ବେଳେ ଖଲାସୀ ଭାବେ କାମ କରିଥିଲେ ୧୮ ଜଣ ଶ୍ରମିକ । ୧୧ ହଜାର କ୍ୱିଂଟାଲ ଧାନ ଓଜନ କରିଥିଲେ ଏମାନେ । ହେଲେ ଆଜି ଯାଏଁ ପାରିଶ୍ରମିକ ମିଳିନାହିଁ । ପ୍ରାପ୍ୟ ପାଇଁ ଲ୍ୟାମ୍ପ ଶାଖା ପରିଚାଳକଙ୍କ ଦେଖା ମିଳୁନଥିବା ବେଳେ ସେ ବାରମ୍ବାର ଠକି ଚାଲିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।

କୋଡ଼ିଙ୍ଗା ଲ୍ୟାମ୍ପସ ଅନ୍ତର୍ଗତ ମୋଦେଇଗାଁ ସ୍ଥିତ ମଣ୍ଡିରେ ସମସ୍ତ ଖଲାସୀ ଏକତ୍ର ହୋଇ ଶାଖା ପରିଚାଳକଙ୍କ ନିର୍ଯ୍ୟାତନା ନୀତିକୁ ବିରୋଧ କରିଛନ୍ତି  । ଅପରପକ୍ଷରେ ଶ୍ରମିକଙ୍କ ଅଭିଯୋଗକୁ ଖଣ୍ଡନ କରି ସେମାନଙ୍କ ଟଙ୍କାର ଚେକ ରେଡି ହୋଇଯାଇଥିବା ବେଳେ ସେମାନେ ଟଙ୍କା ପାଇଁ ଆସୁନଥିବା ଶାଖା ପରିଚାଳକ ପାଲଟା ଅଭିଯୋଗ କରିଛନ୍ତି ।  କିଏ କହୁଛନ୍ତି ସତ,  ଲ୍ୟାମ୍ପସ୍ ଶାଖା ପରିଚାଳକ ନା ଶ୍ରମିକ  । ତେଣୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି  ।