ବନ୍ଦୀ ଅପେକ୍ଷାରେ କାରାଗାର: ନିର୍ମାଣର ୧୧ ବର୍ଷ ପରେ ବି କାମରେ ଆସୁନି ପାତ୍ରପୁରର ଜେଲ

161

କନକ ବ୍ୟୁରୋ: ୧୧ ବର୍ଷ ତଳୁ ନିର୍ମାଣ ହୋଇଛି ଜେଲ୍ । ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । କଏଦୀଙ୍କ ଅପେକ୍ଷାରେ ରହିଛି କାରାଗାର । ଦୀର୍ଘ ବର୍ଷ ଧରି ଜେଲଟି କାର୍ଯ୍ୟକ୍ଷମ ହେଉନଥିବାରୁ ଏବେ ଭୂତକୋଠି ପାଲଟିଛି । ସଂଧ୍ୟା ହେଲେ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି । ୨୦୦୮ ମସିହାରୁ ୪ କୋଟି ବ୍ୟୟରେ ଗଂଜାମ ପାତ୍ରପୁର ବ୍ଲକ ବାଦପୁର ଠାରେ କାରାଗାର ତିଆରି ହୋଇଛି । ଏଠାରେ ଜଣେ ଜେଲର ଓ ୧୦ ଜଣ ୱାର୍ଡରଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ନିର୍ମାଣ ପର ଠାରୁ ଜେଲରେ ତାଲା ପଡିଛି । ପାତ୍ରପୁର କୋର୍ଟ ଅଧିନରେ ଆସୁଥିବା ଅଭିଯୁକ୍ତଙ୍କୁ ୪୫ କିଲୋମିଟର ଦୂର ବ୍ରହ୍ମପୁର ଜେଲକୁ ପଠାଯାଉଛି । ତେଣୁ ଏଠାରେ ନିୟୋଜିତ ହୋଇଥିବା ଜେଲର ଓ କର୍ମଚାରୀ ବ୍ରହ୍ମପୁର ଜେଲରେ କାମ କରୁଛନ୍ତି । ତେବେ କୋଟି କୋଟି ଟଙ୍କାରେ କାରାଗାର ନିର୍ମାଣ କରିବା ପରେ ତାକୁ କାର୍ଯ୍ୟକ୍ଷମ ନକରିବାର କାରଣ ଖୋଜା ପଡିଛି । କାହିଁକି ନିର୍ମାଣର ୧୧ ବର୍ଷ ପରେ ବି ଜେଲଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ? କେଉଁଠି ରହିଛି ଅସୁବିଧା? ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏଠାରେ କଏଦୀଙ୍କୁ ରଖାଯାଉନଥିବା ଚର୍ଚ୍ଚା ହେଉଛି । ସେପଟେ ବ୍ରହ୍ମପୁର ଜେଲରେ କ୍ଷମତା ଠାରୁ ଅଧିକ ସଂଖ୍ୟକ କଏଦୀ ଅଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏବେ ୯୭୦ କଏଦୀ ରହୁଛନ୍ତି ।