ରାଜଧାନୀରେ ମାତିଛି ଦନ୍ତା ! ପାଚେରୀ ଭାଙ୍ଗି ଜୟଦେବ ବାଟିକାରେ ପଶିଲା ହାତୀ, ଦିନକ ପାଇଁ ବାଟିକା ହେଲା ବନ୍ଦ

45

କନକ ବ୍ୟୁରୋ: ରାଜଧାନୀରେ ମାତିଛି ଦନ୍ତା ହାତୀ । ଖଣ୍ଡଗିରି ପାହାଡ ନିକଟସ୍ଥ ଜୟଦେବ ବାଟିକାର ପାଚେରୀ ଭାଙ୍ଗି ଭିତରକୁ ପଶିଯାଇଛି ଦନ୍ତ ହାତୀ । ଏହା ପରେ ପୁଣି ହାତିଟି ଜୟଦେବ ବାଟିକାରୁ ବାହାରି ଖଣ୍ଡଗିରି ଅଂଚଳକୁ ମାଡି ଯାଇଥିବା ସୂଚନା ମିଳିଛି । ଜୟଦେବ ବାଟିକା ଭିତରେ ହାତୀ ରହିଥିବା ସନ୍ଦେହ କରି ଆଜି ଜୟଦେବ ବାଟିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି ।

ଆଜି ରାତିରେ ବନବିଭାଗ ହାତୀ ଘଉଡାଇବା ପାଇଁ ଉଦ୍ୟମ କରିବ ବୋଲି ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି । ଗତ ଗୁରୁବାର ଦିନ ମଧ୍ୟ ଏକ ଦନ୍ତା ହାତୀ ଘାଟିକିଆ ସ୍ଥିତ ଓୟୁଏଟି ଫାର୍ମ ହାଉସରେ ଭିତରକୁ ପଶିଯାଇଥିଲା । ଭରତପୁର ଜଙ୍ଗଲରୁ ଏହି ଦନ୍ତା ଓୟୁଏଟି ଫାର୍ମ ହାଉସକୁ ପଶି ଆସିଥିଲା । ସ୍ଥାନୀୟ ଅଂଚଳରେ ଘୁରି ବୁଲୁଥିଲା ଦନ୍ତା ।

ଏପରିକି ହାତୀ ଯାଉଥିବା ରାସ୍ତାରେ ଥିବା ଏକ ଲୁହା ଗେଟକୁ ଦଳି ଦେଇଥିଲା ଦନ୍ତା । ଏହି ଅଂଚଳକୁ ପଶି ଆସିବା ପରେ ଦନ୍ତାଟି ଏପଟ ସେପଟ ଧାଉଁଥିବା ଦେଖିବାକୁ ମିଳଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।