ଛଗନ ଭୂଜବଳଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କହିଲା, ହଜି ଯାଇଛି ସମସ୍ତ ଫାଇଲ

665

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ ଏନସିପି (ଅଜିତ ପାୱାର ଗୋଷ୍ଠୀ) ନେତା ଛଗନ ଭୂଜବଳ ଓ ତାଙ୍କ ଭଣଜା ସମୀର ଭୂଜବଳଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଛି । ଏହି ଆବେଦନରେ ଇଡି ତରଫରୁ ୨୦୧୮ ମସିହାରେ ଛଗନ ଭୂଜବଳଙ୍କ ଦ୍ୱାରା ଦିଆଯାଇଥିବା ଏକ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ଦାବି କରିଥିଲା । ହେଲେ ଏବେ ଏହି ମାମଲା ଏବେ ଆଶ୍ଚର୍ଯ୍ୟଜନକ ଭାବେ ଇଡି ପ୍ରତ୍ୟାହାର କରିନେଇଛି । ହେଲେ ଛଗନ ଭୂଜବଳଙ୍କ ପୁଅ ପଙ୍କଜ ଭୂଜବଳଙ୍କ ବିରୋଧରେ ଥିବା ମାମଲା ଚାଲୁ ରହିବ ବୋଲି କହିଛି । ଛଗନ ଭୂଜବଳ ଏବେ ବିଜେପି-ଶିବସେନା ଓ ଏନସିପି ମେଣ୍ଟ ସରକାର କ୍ୟାବିନେଟର ଅଂଶୀଦାର ।

ଏକ ଜାତୀୟ ଗଣମାଧ୍ୟମ ମୁତାବକ ଭୂଜବଳ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ୨୦୧୬ ମସିହାରେ ମହାରାଷ୍ଟ୍ର ସଦନ ଦୁର୍ନୀତି ମାମଲାରେ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଗିରଫ କରିଥିଲା । ସେତେବେଳେ ଛଗନ ଭୂଜବଳ ବିରୋଧଦଳରେ ଥିଲେ । ଏହାପରେ ୨୦୧୮ ମସିହାରେ ଭୂଜବଳଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜାମିନ ମିଳିବାର କିଛି ଦିନ ପରେ ଟ୍ରାଏଲ କୋର୍ଟ ୧୬ ଅକ୍ଟୋବର ୨୦୧୮ ମସିହାରେ ଭୂଜବଳଙ୍କ ପାସପୋର୍ଟ ନବୀକରଣ କରିବାକୁ ଅନୁମତି ଦେଇଥିଲେ ଓ ବିଦେଶ ଯାତ୍ରା ପାଇଁ ମଧ୍ୟ ଅନୁମତି ଦେଇଥିଲେ ।

ଏହାପରେ ସେହି ୨୦୧୮ ମସିହାରେ ଇଡି ତରଫରୁ ଭୂଜବଳଙ୍କ ଜାମିନକୁ ଚ୍ୟାଲେଞ୍ଜ କରି କୋର୍ଟରେ ଏକ ଆବେଦନ କରିଥିଲା । ହେଲେ ଏହି ମାମଲାର ଶୁଣାଣି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେଉଥିବା ବେଳେ ଇଡି କୋର୍ଟଙ୍କୁ କହିଥିଲେ କି ଦାଖଲ ହୋଇଥିବା ଆବେଦନର କପି ଇଡି କାର୍ଯ୍ୟାଳୟରୁ ହଜି ଯାଇଛି । ଯାହାକି ଇଡି ତରଫରୁ ଛଗନ ଭୂଜବଳ ଓ ତାଙ୍କ ଭଣଜାଙ୍କ ବିରୋଧରେ ଆବେଦନ କରିଥିଲା ।

୨୦୨୩ ନଭେମ୍ବର ୨୯ ତାରିଖରେ ଇଡି ତରଫରୁ ଓକିଲ ହର୍ଷ ଦୈଦ୍ଧିୟା ହାଇକୋର୍ଟରେ ଆବେଦନ ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ । ଜଷ୍ଟିସ ଆରଏନ ଲଡ୍ଡା ଏହାକୁ ଅନୁମତି ଦେଇଥିଲେ । ଏବଂ ମାମଲାକୁ ଖାରଜ କରିଥିଲେ ।

ସୂଚନା ଥାଉ କି, ଛଗନ ଭୂଜବଳଙ୍କ ଉପରେ ଅନେକ ଦୁର୍ନୀତି ମାମଲା ଆସିଥିଲା । ୨୦୧୬ ମସିହାରେ ଏସବୁ ଅଭିଯୋଗ ଆଧାରରେ ଇଡି ଛଗନ ଭୂଜବଳଙ୍କୁ ଗିରଫ କରି ୨ ବର୍ଷ ଜେଲରେ ରଖିଥିଲା । ଭୂଜବଳଙ୍କ ଉପରେ ଅଭିଯୋଗ ଥିଲା କି ସେ ପିଡବ୍ଲ୍ୟୁଡି ବିଭାଗର ମନ୍ତ୍ରୀ ଥିବା ବେଳେ ୧୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଠିକା ବେଆଇନ ଭାବେ ଦେଇଥିଲେ । ଇଡି ଦାବି କରିଥିଲା କି ଭୂଜବଳଙ୍କ ପରିବାର ସହ ଜଡିତ କମ୍ପାନୀ ଓ ଟ୍ରଷ୍ଟ ଲାଂଚ ନେଇ ଏସବୁ କାମର ଠିକା ଦେଇଥିଲେ ।