ଅର୍ଚ୍ଚନା ନାଗଙ୍କ ନାଗଫାଶ ମାମଲା : ସକ୍ରିୟ ହେଲା ପ୍ରବର୍ତନ ନିର୍ଦ୍ଦେଶାଳୟ; ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଆରମ୍ଭ କଲା ତଦନ୍ତ

124

କନକ ବ୍ୟୁରୋ : ବଢିଲା ଅର୍ଚ୍ଚନା ନାଗଙ୍କ ଅଡୁଆ । ବ୍ଲାକମେଲିଂର ପେଡି ଖୋଲିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ପ୍ରବର୍ତନ ନିର୍ଦ୍ଦେଶାଳୟ ଗତକାଲି ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏମାନେ ହେଲେ ଅର୍ଚ୍ଚନା ନାଗ, ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଓ ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଁଙ୍କ ମାମଲା ରୁଜୁ କରିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା । ଇଡିର ୬ ଜଣିଆ ଟିମ ଏହି ତଦନ୍ତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

କାହାଠାରୁ କେତେ ଟଙ୍କା ଆସିଥିଲା ଓ କାହା ପାଖକୁୁ କେତେ ଟଙ୍କା ଯାଇଛି ସେ ନେଇ ଖୋଳତାଡ ହେବ । ଇଡି ତଦନ୍ତ କଲେ ଅନେକ ବଡବଡିଆଙ୍କ ଗୁମର ଖୋଲିବ ବୋଲି କୁହାଯାଉଛି । ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ଆଲିଶାନ ବଙ୍ଗଳା କରି ବଡବଡିଆଙ୍କୁ ଫସାଉଥିବା ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ ରହିଛି । ନେତା, ଫିଲ୍ମ ନିର୍ଦ୍ଦେଶକ ଓ ବିଲଡରଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା କୋଟି କୋଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏ ନେଇ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ । ଏହା ପରେ ତାଙ୍କ ସ୍ୱାମୀ ଜଗବନ୍ଧୁ ବି ଗିରଫ ହୋଇଥିଲେ ।

ଅର୍ଚ୍ଚନାଙ୍କ ଫାସରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବିଜେପି ନେତା କନକବର୍ଧନ ସିଂହଦେଓ, ରାଜନେତା ଦିଲ୍ଲୀପ ରାୟ, ଜୁଏଲ ଓରାମ ଓ କୌଳାସ କୁଲେସିକା ଫସିଥିବା ଅଭିଯୋଗ ହୋଇଥିଲା । ଏହି ନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହୋଇଥିଲା । ଏହାଛଡା କିଛି ପ୍ରତିଷ୍ଠିତ ବ୍ୟବସାୟୀ ଓ ବଡବଡିଆ ଅଧିକାରୀଙ୍କୁ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । ଅର୍ଚ୍ଚନାଙ୍କ ଫାଶରେ ବଡବଡିଆ ଓ ରାଜନେତା ଆସିବା ପରେ ଏହାକୁ ନେଇ ରାଜ୍ୟରେ ଝଡ ଉଠିଥିଲା । ରାଜ୍ୟ ରାଜନୀତି ବି ସରଗରମ ହୋଇଥିଲା । ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲେ ।