୨୦୧୯ ଫାଇନାଲ ପୂର୍ବରୁ ସେମି ଫାଇନାଲ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ

52

କନକ ବ୍ୟୁରୋ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ନଭେମ୍ବର ଏବଂ ଡିସେମ୍ବର ଦୁଇ ମାସ ଭିତରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ୍ ଏବଂ ତେଲେଙ୍ଗାନାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ମାଓ ଉପଦ୍ରବକୁ ଦୃଷ୍ଟିରେ ରଖି ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଅବଶିଷ୍ଟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଏବଂ ସମସ୍ତ ୫ଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ତେବେ ନିର୍ବାଚନ କମିଶନଙ୍କ ଏହି ଘୋଷଣା , ଦେଶରେ ଏକକ ନିର୍ବାଚନ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ଘୋଷଣା ସହ ୫ଟି ରାଜ୍ୟରେ ବାଜିଛି ନିର୍ବାଚନୀ ବିଗୁଲ୍ । ମତଦାନ ପାଇଁ ତାରିଖ ଘୋଷଣା ପରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ୍ ଏବଂ ତେଲେଙ୍ଗାନାରେ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ୍ ଏବଂ ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।

ମଧ୍ୟପ୍ରଦେଶ ଏବଂ ମିଜୋରାମରେ ନଭେମ୍ବର ୨୮ ତାରିଖରେ ହେବ ମତଦାନ । ଏହି ଦୁଇଟି ରାଜ୍ୟ ପାଇଁ ନାମାଙ୍କନ ତାରିଖ ନଭେମ୍ବର ୯, ପ୍ରାର୍ଥୀପତ୍ର ଯାଂଚ ନଭେମ୍ବର ୧୨, ପ୍ରାର୍ଥୀପତ୍ର ପ୍ରତ୍ୟାହାର ନଭେମ୍ବର ୧୪ ଏବଂ ଫଳଫଳ ଡିସେମ୍ବର ୧୧ ତାରିଖରେ ପ୍ରକାଶ ପାଇବ । ସେହିପରି ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ହେବ ମତଦାନ ।ଏହି ଦୁଇ ରାଜ୍ୟ ପାଇଁ ନାମାଙ୍କନ ତାରିଖ ନଭେମ୍ବର ୧୯, ପ୍ରାର୍ଥୀପତ୍ର ଯାଂଚ ନଭେମ୍ବର ୨୦, ପ୍ରାର୍ଥୀପତ୍ର ପ୍ରତ୍ୟାହାର ନଭେମ୍ବର ୨୨ ଏବଂ ଫଳଫଳ ଡିସେମ୍ବର ୧୧ ତାରିଖରେ ପ୍ରକାଶପାଇବ ।

ଏପଟେ ଛତିଶଗଡ଼ର ୯୦ଟି ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୮ଟି ବିଧାନସଭା ଆସନ ପାଇଁ ନଭେମ୍ବର ୧୨ ତାରିଖରେ ମତଦାନ ହେବ । ଏଥି ପାଇଁ ନାମାଙ୍କନ ତାରିଖ ଅକ୍ଟୋବର ୨୩, ପ୍ରାର୍ଥୀପତ୍ର ଯାଂଚ ଅକ୍ଟୋବର ୨୪ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅକ୍ଟୋବର ୨୬ ରଖାଯାଇଛି । ଫଳାଫଳ ସେହି ଡିସେମ୍ବର ୧୧ରେ ପ୍ରକାଶ ପାଇବ । ସେହିପରି ଛତିଶଗଡ଼ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ଆସନ ପାଇଁ ନଭେମ୍ବର ୨୦ ତାରିଖରେ ମତଦାନ ହେବ । ଏଥିପାଇଁ ନାମାଙ୍କନ ତାରିଖ ନଭେମ୍ବର ୦୨, ପ୍ରାର୍ଥୀପତ୍ର ଯାଂଚ ନଭେମ୍ବର ୦୩ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି ଅକ୍ଟୋବର ୦୫ ।

ଏପଟେ ନିର୍ବାଚନ ପ୍ରେସ୍ ମିଟର ସମୟକୁ ନେଇ ଆପତି ଉଠାଇଛି କଂଗ୍ରେସ । ନିର୍ବାଚନ ତାରିଖ ଘୋଷଣା ପାଇଁ ଦିନ ସାଢ଼େ ୧୨ଟାରେ ସମ୍ବାଦିକ ସମ୍ମଳନୀ ଡକାଯାଇଥିଲା, ହେଲେ ମୋଦିଙ୍କ ରାଲିକୁ ଦୃଷ୍ଟିରେ ରଖି ଜାଣିଶୁଣି ବିଳମ୍ବ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ତେବେ ଏସବୁ ଭିତରେ ଚର୍ଚ୍ଚା ହେଉଛି । ୨୦୧୯ ନିର୍ବାଚନ ପୂର୍ବରୁ ଜନମତ କାହା ସପକ୍ଷରେ ରହିଛି, ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ । ବିଭିନ୍ନ ଗଣମାଧ୍ୟମର ସର୍ଭେ ରିପୋର୍ଟ ଭିତରେ ଲୋକଙ୍କ ଅସଲ ମୁଡ ପରଖିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ।