ବାଲେଶ୍ୱର ସେଂଟ୍ରାଲ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାଶ । ବ୍ୟାଙ୍କର ବଣିଆ ଥିଲା ଠକେଇର ମାଷ୍ଟର ମାଇଣ୍ଡ

313

କନକ ବ୍ୟୁରୋ : ନକଲି ସୁନା ବନ୍ଧକ ରଖି ବ୍ୟାଙ୍କରୁ ଉଠାଇନେଲେ ୭୦ ଲକ୍ଷ ଟଙ୍କା । ବାଲେଶ୍ୱର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଉଠାଣର ପର୍ଦ୍ଦାଫାସ କରିଛି ପୋଲିସ । ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଠକେଇର ମାଷ୍ଟର ମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଠକେଇରେ ବ୍ୟାଙ୍କର ବଣିଆ ପଦ୍ମଲୋଚନ ରଣା ଥିଲା ମାଷ୍ଟର ମାଇଣ୍ଡ । କୌଣସି ବ୍ୟାଙ୍କରେ ସୁନା ବନ୍ଧକ ରୁଣ ନେବାକୁ ହେଲେ ସୁନାକୁ ଯାଂଚ କରି ବଣିଆ ପ୍ରମାଣପତ୍ର ଦେବା ପରେ ରୁଣ ମିଳିଥାଏ । ଏହାର ଫାଇଦା ଉଠାଇ ନକଲି ସୁନା ଅସଲି ସୁନା ବୋଲି ଚିହ୍ନଟ କରୁଥିଲା ବଣିଆ ପଦ୍ମଲୋଚନ । ମୋଟ ୧୫ ଜଣ ଗ୍ରାହକ ନକଲି ସୁନା ଦେଇ ବ୍ୟାଙ୍କର ୨୭୩୧ ଦଶମିକ ୦୯ ଗ୍ରାମ ସୁନା ବାବଦକୁ ୭୦ ଲକ୍ଷ ଟଙ୍କା ଉଠାଥିଲେ । ହେଲେ ବ୍ୟାଙ୍କର ସେଂଟ୍ରାଲ ଟିମ୍ ଅଡିଟ ପାଇଁ ଆସିବା ପରେ ପ୍ରକୃତ ସତ ପଦାକୁ ଆସିଥିଲା । ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ କରି ବ୍ୟାଙ୍କର ବଣିଆ ସମେତ ୭ ଜଣଙ୍କୁ ଗିରଫ କରିଛି । ନକଲି ସୁନା ବନ୍ଧକ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।