କେହି ଗୁଳି କରିବେନି, ଅମୃତପାଲଙ୍କୁ ଗିରଫ ଅପରେସନ ସମୟରେ କାହିଁକି ଏମିତି କହିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ?

183

କନକ ବ୍ୟୁରୋ : ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଆତ୍ମସର୍ମପଣ କରିବା ପରେ ତାଙ୍କୁ ଆସାମର ଡିବ୍ରୁଗଡ ଜିଲ୍ଲାରେ ଥିବା ଜେଲକୁ ପଠାଯାଇଛି । କିନ୍ତୁ ଅମୃତପାଲ ଆତ୍ମସର୍ମପଣ କରିବା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନିଦ ହଜି ଯାଇଥିଲା । ଅମୃତପାଲ ମୋଗାର ରୋଡେ ଗାଁରେ ଥିବା ଜଣାପଡିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମାନଙ୍କର ଫୋନ୍ କଲ ଯାଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମାନ୍ ଏହା ସୁନିଶ୍ଚିତ କରିବାକୁ କହିଥିଲେ ଯେ, ଗୁରୁଦ୍ୱାରାର ପ୍ରବିତ୍ରତା ବଜାୟ ରହିବ ଏବଂ କେହି ଗୁଳି ଚଲାଇବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀଙ୍କ କହିବା ଅନୁଯାୟୀ, ମାନ୍ ସ୍ପଷ୍ଟ କରିଥିଲେ ଯେ ବର୍ଗାଡି ଓ ବହବଲ ଭଳି ଯେପରି କୌଣସି ଘଟଣା ନ ହୁଏ । ଫୋନରେ ମାନ୍ ନିର୍ଦ୍ଦେଶ ଦେଇଥିଲେ ଯେ, କେହି ଗୁଳି ଚଲାଇବେ ନାହିଁ ଏବଂ ପୋଲିସ ଗୁରୁଦ୍ୱାରା ଭିତରକୁ ପ୍ରବେଶ କରିବ ନାହିଁ ।

କେବଳ ଏତିକି ନୁହେଁ ଅମୃତପାଲର ଠିକଣା ଜଣା ପଡିବା ପରେ ପୂରା ଗାଁକୁ ଘେରାବନ୍ଦୀ କରାଯାଇଥିଲା । କିନ୍ତୁ ଲୋକେ ଯେପରି ଆତଙ୍କିତ ନହେବେ ସେଥିପାଇଁ ସାଧା ପୋଷାକରେ ପୋଲିସକୁ ନିୟୋଜିତ କରାଯାଇଥିଲା । ଅମୃତପାଲ ଗିରଫ ହେବା ସହ ନିଜର ସଙ୍ଗଠନର ପୂରା ନେଟୱର୍କ ମଧ୍ୟ ଶେଷ ହୋଇଛି । କାରଣ ଅମୃତପାଲଙ୍କ ସଙ୍ଗଠନ ସହ ଜଡିତ ବଡ ବଡ ନେତାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଯାହାଦ୍ୱାରା ଅମୃତପାଲ ବେସାହାରା ହୋଇଯାଇଥିଲେ । କାରଣ ଗିରଫ ହେବା ପୂର୍ବରୁ ଅମୃତପାଲଙ୍କୁ ଯିଏ କେହି ବି ଶରଣ ଦେଉଥିଲା ତାଙ୍କୁ ପୋଲିସ ଅଟକ ରଖୁଥିଲା । ତେଣୁ ଅଜଣା ଲୋକଙ୍କୁ ସ୍ଥାନୀୟ ବାସିନ୍ଦା ଲିଫ୍ଟ ଦେବା ବନ୍ଦ କରି ଦେଇଥିଲେ । ଯାହାଫଳରେ ଉପାୟ ନ ପାଇ ରୋଡେ ଗାଁରେ ଆଶ୍ରୟ ନେବାକୁ ପଶିଥିଲା ଅମୃତପାଲ । ଯେଉଁଠାରେ ଅମୃତପାଲ ‘ୱାରିସ ପଞ୍ଜାବ ଦେ’ର ମୁଖିଆ ଭାବେ ଶପଥ ନେଇଥିଲେ ସେହିଠାରେ ହିଁ ସେ ଆତ୍ମସର୍ମପଣ କରିଥିଲେ । ଆତ୍ମସର୍ମପଣ କରିବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା ।

ଅମୃତପାଲଙ୍କ ଗିରଫ ପରେ ଭଗୱନ୍ତ ସିଂ ମାନ କହିଥିଲେ, ଏହି ଅଭିଯାନକୁ ନେଇ ରାତିସାରା ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ରହିଥିଲି । କିନ୍ତୁ ଅପରେସନ ସମୟରେ ଯେପରି କୌଣସି ରକ୍ତପାତ ନହେବ ତାହା ଉପରେ ଗୁରୁତ୍ୱ ଦେଇଥିଲି । ଯେତେବେଳେ ଅମୃତପାଲ ରୋଡେ ଗାଁରେ ଥିବାର ଖବର ପାଇଲି ସେହି ରାତିରେ ମୋତେ ନିଦ ହୋଇନଥିଲା । ପ୍ରତି ୧୫ ମିନିଟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପ୍ରତିଟି ତଥ୍ୟ ହାସଲ କରୁଥିଲି ।