ହ୍ୱାଇଟ ହାଉସରେ ଦୀପାବଳି ଉତ୍ସବ । ଦୀପ ଲଗାଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଲେ, ଶୁଭ ଦୀପାବଳି ।

166

କନକ ବ୍ୟୁରୋ : କେବଳ ଭାରତରେ ନୁହେଁ ବିଦେଶରେ ବି ପାଳନ ହୋଇଛି ଦୀପାବଳୀ । ଆମେରିକା, କାନାଡା ଭଳି ଦେଶରେ ମଧ୍ୟ ଦୀପାବଳିର ଧୂମ ଦେଖିବାକୁ ମିଳିଛି । ଆମେରିକା ଓ କାନାଡାରେ ରହୁଥିବା ପ୍ରବାସୀ ଭାରତୀୟ ଦୀପାବଳିକୁ ବେଶ ଧୁମଧାମରେ ପାଳନ କରିଛନ୍ତି ।  ସେହିଭଳି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରବାସୀ ଭାରତୀୟଙ୍କ ସହ ମିଶି ହ୍ୱାଇଟ ହାଉସରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ପତ୍ନୀ ଜିଲ ବାଇଡେନ ଓ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ସହ ମିଶି ଜୋ ବାଇଡେନ ପାଳିଛନ୍ତି ଦୀପାବଳି । ସୋମବାର ରାତିରେ ହ୍ୱାଇଟ ହାଉସରେ ଦୀପାବଳି ସେଲିବ୍ରେସନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁ କାର୍ଯ୍ୟକ୍ରମରେ ଅନେକ ଭାରତୀୟ କର୍ମଚାରୀ ସାମିଲ ହୋଇଥିଲେ । ବାଇଡେନ କହିଥିଲେ, ପୂର୍ବ ସରକାର ଅପେକ୍ଷା ଆମ ସରକାରରେ ଅଧିକରୁ ଅଧିକ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି । ଆମେରିକୀୟ ସଂସ୍କୃତି ସହ ଦୀପାବଳି ଯୋଡି ହେଉଥିବାରୁ ସମସ୍ତଙ୍କୁ ଶୁଭକାମନା ।

 ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ବିଶ୍ୱରେ ବସବାସ କରୁଥିବା ୧୦୦ କୋଟିରୁ ଅଧିକ ହିନ୍ଦୁ, ଜୈନ, ଶିଖ, ବୌଦ୍ଧ ଧର୍ମର ଲୋକଙ୍କୁ ମୋର ଶୁଭକାମନା । ଆମେରିକାର ସରକାରରେ ଭିନ୍ନ ଭିନ୍ନ ସଂସ୍କୃତି ସହ ଜଡିତ ବ୍ୟକ୍ତି ସ୍ଥାନ ପାଇଛନ୍ତି । ଉପରାଷ୍ଟ୍ରପତି କମଳା ହାରିସ ଏହି ପଦରେ ପହଞ୍ଚିଥିବା ପ୍ରଥମ ଅଶ୍ୱେତ ମହିଳା । ଆମେରିକାର ବିକାଶରେ ଭାଗିଦାରୀ ସାଜିବା ସହ ସହଯୋଗର ହାତ ବଢାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

ସେହିଭଳି ଆମେରିକା ଉପରାଷ୍ଟ୍ରପତି କମଳା ହାରିସ କହିଛନ୍ତି, ହ୍ୱାଇଟ ହାଉସ ସାଧାରଣ ଲୋକଙ୍କ ଘର ପାଲଟିଛି । ଆମେରିକାର ପ୍ରଥମ ମହିଳା ତଥା ଜୋ ବାଇଡେନଙ୍କ ପତ୍ନୀ ଏଭଳି ଏକ ମାହୋଲ ସୃଷ୍ଟି କରିଛନ୍ତି ଯେ, ଆମେରିକାର ଯେକୌଣସି ନାଗରିକ ବିନା ଦ୍ୱିଧାରେ ନିଜ ସଂସ୍କୃତି ଓ ଉତ୍ସବ ଏଠାରେ ସେଲିବ୍ରେଟ କରିପାରିବ ।