ଦୁର୍ବଳ ନୁହନ୍ତି କୌଣସି ଦିବ୍ୟାଙ୍ଗ: ଲକ୍ଷ୍ୟ ସ୍ଥିର ଥିଲେ ଛୁଇଁ ହୁଏ ସଫଳତାର ଶିଖର

112

କନକ ବ୍ୟୁରୋ: ସଂଘର୍ଷ ଜଣେ ଛାତ୍ରର ଜୀବନକୁ ଅଧିକ ଉଜ୍ଜିବୀତ କରେ । ସମସ୍ୟା ଆସିବ କିନ୍ତୁ ,ପଛଘୁଞା ନଦେଇ ସମାଧାର ବାଟ ଖୋଜି ସଫଳତାର ଶୀଖରକୁ ଛୁଇଁବା ହିଁ ଜଣେ ମେଧାବୀ ଛାତ୍ରକୁ ସଫଳତା ଆଣିଦିଏ। ଏହା ହିଁ କରି ଦେଖାଇଛନ୍ତି ସୋନପୁର ସହରର ଜଣେ ଦିବ୍ୟାଙ୍ଗ ଛାତ୍ର । ଜନ୍ମରୁ ହାତରେ ଖାଇପାରୁ ନଥିବା କି ଲେଖିପାରୁ ନଥିବା ଜଣେ ଛାତ୍ର ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ସମ୍ବଲପୁର ପକ୍ଷରୁ ପ୍ରକାଶିତ ସ୍ନାତକ କଳା ସମ୍ମାନ ପରିକ୍ଷାରେ ୬୯ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତିନ୍ନ ହୋଇଛନ୍ତି ।

ଅନ୍ୟମାନଙ୍କ ପାଇଁ ଉଦାହରଣ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଶାନ୍ତିନଗର ପଡାର ଶିବଦତ ଚାନ୍ଦ । ଜନ୍ମରୁ ପକ୍ଷାଘାତରେ ଆକ୍ରାନ୍ତ ଶିବଦତ । ହେଲେ ଦୃଢ ଇଛା ଶକ୍ତି ଶିବଦତଙ୍କ ଶିକ୍ଷାଗତ ଜୀବନରେ ସଫଳ ଯାତ୍ରା ପାଇଁ ବାଟ ଫିଟେଇ ଦେଇଛି । କଲେଜ ପଢାରେ ପ୍ରଥମ ଶ୍ରେଣୀରେ ପାସ କରିବା ସହ କମ୍ୟୁଟ ଚଲାଇବା ସବୁଥିରେ ମାହିର ଶିବଦତ । ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ସ୍ନାତକ କଳା ସମ୍ମାନ ପରିକ୍ଷାରେ ୬୯ ପ୍ରତିଶତ ମାର୍କ ରଖି ଫାଷ୍ଟ ହୋଇଛନ୍ତି । ଏହାସହ ବିଭିନ୍ନ ସମୟରେ ରାଜ୍ୟ ତଥା ଜାତିୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି ଶିବଦତ । ୨୦୧୮ରେ ବିଶ୍ୱ ଭିନ୍ନକ୍ଷମ ଦିବସରେ ରାଜ୍ୟ ସ୍ତରୀୟ ସମାରୋହରେ ଶ୍ରେଷ୍ଟ ପ୍ରତିଭା ଭାବରେ ପୁରସ୍କୃତ ହୋଇଛନ୍ତି ।

ପୁଅ ଶିବଦତ ଶାରିରୀକ ଭାବେ ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥିଲେ ବି ବାପା-ମାଆ କେବେ ବି ଭାଙ୍ଗି ପଡିନାହାନ୍ତି । ପୁଅକୁ ଅନ୍ୟମାନଙ୍କ ଭଳି ଉଚ୍ଚ ଶିକ୍ଷିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ବାପା ନରେନ୍ଦ୍ର ଚାନ୍ଦ ଓ ମାଆ ହରପ୍ରିୟା ପାଣି । ବାପା-ମାଆଙ୍କ ପ୍ରେରଣାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆଗକୁ ଆଗକୁ ମାଡି ଚାଲିଥିବା ଶିବଦତ ଅନେକ ସଫଳତା ସାଉଁଟୁଛନ୍ତି । କଠିନ ପରିଶ୍ରମ ଓ ଏକାଗ୍ରତା ଥିଲେ ମଣିଷ ସବୁ ପରିସ୍ଥିତିର ସାମ୍ନା କରିପାରେ । ଆଉ ସଫଳତା ମିଳିବା ସହଜ ହୋଇଯାଏ । ଯାହା କରି ଦେଖାଇଛନ୍ତି ଶିବଦତ ଚାନ୍ଦ ।