ଟ୍ରେନରେ ଦିଆଯାଉଛି ମଇଳା ବେଡସିଟ୍‌ ଓ କମ୍ବଳ : ସିଏଜି ରିପୋର୍ଟ

46

ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଯେ କେବଳ ଖରାପ ମାନର ଖାଦ୍ୟ ପରିବେଷଣ କରୁଛି ତାହା ନୁହେଁ ଯାତ୍ରୀମାନଙ୍କୁ ଯୋଗାଇ ଦେଉଥିବା ବେଡସିଟ୍‌ ଏବଂ କମ୍ବଳ ମଧ୍ୟ ଠିକ୍‌ ଭାବେ ସଫା ହେଉ ନଥିବା ବିଷୟ ସିଏଜି ତାଙ୍କ ଅଡିଟରୁ ଜାଣିବାକୁ ପାଇଛନ୍ତି । ସଂସଦରେ ଗତ ଶୁକ୍ରବାର ଉପସ୍ଥାପିତ ରିପୋର୍ଟରେ ସିଏଜି ଏହି ବିଷୟ ଉଲ୍ଲେଖ କରିଛନ୍ତି । ରେଳବାଇକୁ ଏଥିପାଇଁ ସିଏଜି ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ରେଳବାଇ ପକ୍ଷରୁ ବେଡସିଟ୍‌ ଏବଂ କମ୍ବଳର ସଫେଇ ନେଇ ଧାର୍ଯ୍ୟ ହୋଇଥିବା ନିର୍ଦ୍ଦେଶାଳବଳୀକୁ ମଧ୍ୟ ପାଳନ କରାଯାଉ ନାହିଁ । ଧାର୍ଯ୍ୟ ନିୟମାବଳୀକୁ ପାଳନ କରିବା ଲାଗି ସିଏଜି ପରାମର୍ଶ ଦେଇଛନ୍ତି ।

ରେଳବୋର୍ଡ ପକ୍ଷରୁ ନିର୍ଦେଶନାମା ରହିଛି ଯେ, ଥରେ ବ୍ୟବହାର ହେବାପରେ ବେଡ୍‌ସିଟ୍‌ ଗୁଡ଼ିକ ସଫା ହେବା ଆବଶ୍ୟକ । କମ୍ବଳ ଗୁଡ଼ିକର ଡ୍ରାଏକ୍ଲିନ୍‌ ପ୍ରତି ୨ ମାସରେ ଥରେ ହେବା ଆବଶ୍ୟକ । ସିଏଜି ପକ୍ଷରୁ ୨୦୧୨-୧୩ରୁ ୨୦୧୫-୧୬ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହି ବିଷୟ ପଦାକୁ ଆସିଛି । କେତୋଟି କମ୍ବଳ ବ୍ୟବହାର ହୋଇଛି ଏବଂ ତା ମଧ୍ୟରୁ କେତୋଟିର ସଫା କରାଯାଇଛି ସେ ନେଇ ୩୩ଟି ସ୍ଥାନରୁ ତଥ୍ୟ ସଂଗ୍ରହ ପରେ ଏହା ଜଣାଯାଇଛି । ଏପରିକି କେତୋଟି ଡିପୋରେ କମ୍ବଳ ୬ମାସରୁ ୨୬ ମାସ ପର୍ୟ୍ୟନ୍ତ ମଧ୍ୟ ସଫା ହୋଇନାହିଁ ।

ଲୋକମାନ୍ୟ ତିଳକ ଟର୍ମିନସ (ମୁମ୍ବାଇ), ସିଆଲଦା (କୋଲକାତା), ଗ୍ଵାଲିଅର, ଗୌହାଟି, ଦିବ୍ରୁଗଡ଼, ଲକ୍ଷ୍ନୌ, ସିକନ୍ଦରାବାଦ, ହାତିଆ ଏବଂ ଟାଟାନଗରର ଆଦି ଡିପୋରେ ଏହି ଅନିୟମିତତା ଦେଖିବାକୁ ମିଳିଛି । ଚେନ୍ନାଇର ବେସିନ୍‌ ବ୍ରିଜ୍‌ ଡିପୋରେ ନୂଆ ବେଡସିଟ ଓ ତକିଆ ଖୋଳ ସହିତ ପରିତ୍ୟାଗ କରାଯିବା ପାଇଁ ରହିଥିବା ବେଡସିଟ୍‌ ଓ ତକିଆ ଖୋଳ ମଧ୍ୟ ରହିଥିଲା । ତକିଆ ଖୋଳ ନିଅଣ୍ଟ ହେଲେ ସେଥିରେ ବ୍ୟବହୃତ ବେଡସିଟକୁ ପକାଇ ସିଲାଇ କରାଯାଇଥିବା ଭଳି ରିପୋର୍ଟ ଆସିଛି । କେବଳ ସଫାରେ ଖିଲାପ ନୁହେଁ, ଅଧିକାଂଶ ଡିପୋରେ ସଫା ହୋଇଥିବା ବେଡ୍‌ସିଟ୍‌, ତକିଆ ଖୋଳ ଆଦିକୁ ଠିକ୍‌ ଭାବେ ରଖାଯାଇନାହିଁ ।

ଏଗୁଡ଼ିକରେ ମଳିଧୂଳି ଲାଗିବା ଏବଂ ସଂକ୍ରମିତ ହେବାର ବିପଦ ବି ରହିଛି । ତେଣୁ ଏଗୁଡ଼ିକୁ ଉପଯୁକ୍ତ ଭାବେ ସାଇତି ରଖିବା ପାଇଁ କୁହାଯାଇଛି । ଖଡ଼ଗପୁରରେ ତଉଲିଆକୁ ଭଙ୍ଗା ଝରକା ବାଲା ଘରେ ରଖାଯାଇଛି । ସେହିଭଳି ଦକ୍ଷିଣ ପୂର୍ବ ରେଳରେ ନୂଆ ବେଡସିଟ୍‌, ତକିଆ ଖୋଳ ଆଦିକୁ ଦୀର୍ଘଦିନ ଧରି ବ୍ୟବହାର କରାଯାଇ ନଥିବା ଜଣାଯାଇଛି । ବେଡସିଟ୍‌ ବ୍ୟବହାର ପାଇଁ ୧୨ ମାସ ସମୟ ରଖାଯାଇଥିବାବେଳେ ତକିଆ ଖୋଳ ପାଇଁ ୯ ମାସ ସମୟ ରଖାଯାଇଛି । କିନ୍ତୁ ନୂଆ ବେଡସିଟ୍‌ ଓ ତକିଆ ଖୋଳ କିଣାଯାଇ ୫ ମାସ ପର୍ୟ୍ୟନ୍ତ ବ୍ୟବହୃତ ନହୋଇ ଡିପୋରେ ପଡ଼ି ରହିଥିବା ଦେଖାଯାଇଥିଲା ।

ସେହିଭଳି ମୁହଁପୋଛା ତଉଲିଆର ବ୍ୟବହାର ସମୟ ୯ ମାସ ରହିଥିବାବେଳେ କିଣାହେବାର ୫ ମାସ ପର୍ଯ୍ୟନ୍ତ ଅବ୍ୟବହୃତ ହୋଇ ରହିଥିବା ଦେଖାଯାଇଛି । ଅର୍ଥାତ୍‌ ପ୍ରଥମେ ଡିପୋକୁ ଆସିଥିବା ସାମଗ୍ରୀ ଗୁଡ଼ିକୁ ପ୍ରଥମେ ବ୍ୟବହାର କରାଯାଇ ନଥିବା ଜଣାପଡ଼ିଛି । ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲଣ୍ଡ୍ରିଂ ମେସିନ ସ୍ଥାପନ ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବା ଲାଗି କୁହାଯାଇଛି । ଏତଦ୍‌ ବ୍ୟତୀତ ବେଡସିଟ୍‌, ତକିଆ ଖୋଳ ଏବଂ ମୁହଁ ପୋଛା ତଉଲିଆ ଆଦିର ସଫେଇ ନେଇ ଏକ ମାନ ନିର୍ଧାରଣ ହେବା ଉଚିତ ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ।