ଭାରତ କିଣିଥିଲା କି ପେଗାସସ୍ – ସ୍ପାଏୱେଆର? ନ୍ୟୁୟର୍କ ଟାଇମ୍ସର ରିପୋର୍ଟରେ ବଡ଼ ଖୁଲାସା

119

କନକ ବ୍ୟୁରୋ: ୨୦୧୭ରେ ଇଜ୍ରାଏଲ ଠାରୁ ପେଗାସସ୍ – ସ୍ପାଏୱେଆର କିଣିଥିଲା ଭାରତ । ୨ ବିଲିଅନ୍ ଡଲାରର ଡିଫେନ୍ସ ଡିଲର ହିସ୍ସା ଥିଲା ପେଗାସସ୍ – ସ୍ପାଏୱେଆର । ଏଭଳି ଏକ ରିପୋର୍ଟ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଛି । ଆଉ ଯାହାକୁ ନେଇ ଦେଶରେ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ପେଗାସସ୍ ଡିଲକୁ ଖୁଲାସା ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି । ସେପଟେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ମିଛ ବୋଲି କହିଛନ୍ତି ।

ପୁଣି ଚର୍ଚ୍ଚାରେ ଗୁଇନ୍ଦା ସଫ୍ଟୱାଆର ପେଗାସସ୍ । ଆମେରିକାର ଖବରକାଗଜ ଦ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରେ ପ୍ରକାଶିତ ହୋଇଛି ଯେ, ଭାରତ ସରକାର ୨୦୧୭ରେ ଇଜ୍ରାଏଲ ଠାରୁ ମିଜାଇଲ ସିଷ୍ଟମ କିଣିବା ସହ ପେଗାସସ୍ – ସ୍ପାଏୱେଆରକୁ ମଧ୍ୟ କିଣିଥିଲେ । ୨ ଅରବ ଡଲାର ଅର୍ଥାତ ୧୫ହଜାର କୋଟିରେ ଏହି ଡିଲ୍ ସ୍ୱାକ୍ଷର କରିଥିଲେ ମୋଦୀ ସରକାର । ଭାରତ ସରକାର ଏହି ଡିଲ୍ରେ ମିଜାଇଲ ସିଷ୍ଟମ୍ ଆଉ କିଛି ଅସ୍ତ୍ରଶସ୍ତ୍ର ସହ ପେଗାସସ୍କୁ ମଧ୍ୟ କିଣିଥିବା କଥା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଉଲ୍ଲେଖ ହୋଇଛି ।

ପେଗାସସ୍ – ସ୍ପାଏୱେଆରକୁ ନେଇ ଏକ ବର୍ଷ ଧରି ରିସର୍ଚ୍ଚ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି ନ୍ୟୁୟର୍କ ଟାଇମ୍ସ । ଆମେରିକାର ଗୁଇନ୍ଦା ସଂସ୍ଥା ଏଫବିଆଇ ମଧ୍ୟ ପେଗାସସ୍ – ସ୍ପାଏୱେଆର ବ୍ୟବହାର କରିଥିବା କଥା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି ।

ପେଗାସସ୍ – ସ୍ପାଏୱେଆରକୁ ନେଇ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ପରେ ଏହି ମାମଲା ପୁଣି ସତେଜ ହୋଇ ଯାଇଛି । ବିରୋଧୀ ପୁଣିଥରେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ମୋଦୀ ସରକାର ଆମ ଗଣତନ୍ତ୍ରର ପ୍ରାଥମିକ ସଂସ୍ଥା, ରାଜନେତା ଏବଂ ଜନତାଙ୍କ ଉପରେ ଗୁଇନ୍ଦାଗିରି କରିବା ପାଇଁ ପେଗାସସ୍ କିଣିଥିଲେ । ଫୋନ୍ ଟାପ୍ କରି ପକ୍ଷ, ବିପକ୍ଷ, ସେନା ଏବଂ ନାୟପାଳିକା ସଭିଁଙ୍କୁ ଆକ୍ଷେପ କରୁଥିଲେ । ଏହା ଦେଶଦ୍ରୋହ ।

ପେଗାସସ ଏକ ସ୍ପାଏୱେଆର ସଫ୍ଟୱେଆର । ଏହି ସଫ୍ଟୱେଆରକୁ ଗୁଇନ୍ଦାଗିରି କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଏହା ଜରିଆରେ କାହା ଫୋନ୍କୁ ହ୍ୟାକ୍ କରିବା ସମ୍ଭବ । ହ୍ୟାକ୍ କରିବା ପରେ ସେହି ଫୋନର କ୍ୟାମେରା, ମାଇକ୍, ମେସେଜେସ୍ ଆଉ ଫୋନ୍ କଲ ସମେତ ଫୋନରେ ଥିବା ସବୁ ତଥ୍ୟ ହାସଲ କରିହୁଏ । ଏହି ସ୍ପାଏୱେଆରକୁ ଇଜ୍ରାଏଲ କମ୍ପାନୀ ଏନଏସଓ ପ୍ରସ୍ତୁତ କରିଛି । ଆଉ ୪୦ଟି ଦେଶ ଏହାର ଗ୍ରାହକ ରହିଛନ୍ତି ।

ଜୁଲାଇ ୨୦୨୧ରେ ଏହି ଖୁଲାସା ହୋଇଥିଲା ଯେ, ସାରା ବିଶ୍ୱର ଅନେକ ସରକାର, ନିଜ ବିରୋଧୀ ଏବଂ ସାମ୍ବାଦିକଙ୍କ ଫୋନ୍ କଲ ଟ୍ୟାପ କରିବା ପାଇଁ ପେଗାସସ୍ ସ୍ପାଏୱେଆରକୁ ବ୍ୟବହାର କରିଥିଲେ । ଆଉ ଏହାପରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ମଧ୍ୟ ସମାନ ଅଭିଯୋଗ ହୋଇଥିଲା । ହେଲେ ମୋଦୀ ସରକାର ସବୁବେଳେ ଏହି ଅଭିଯୋଗକୁ ଖାରଜ କରି ଆସୁଛନ୍ତି ।