ଅଷ୍ଟ୍ରେଲିଆରେ କାମ ଦେଉଛି ଧୋନୀଙ୍କ ମନ୍ତ୍ର, ବିଶାଳ ଛକା ମାରୁଛନ୍ତି ଏହି ଭାରତୀୟ ଖେଳାଳୀ ।

147

କନକ ବ୍ୟୁରୋ : ଚଳିତ ଟି-୨୦ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ପ୍ରଥମେ ପାକିସ୍ତାନ ଓ ପରେ ନେଦରଲାଣ୍ଡସକୁ ମାତ୍ ଦେଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ । ଆଉ ଭାରତର ଏଭଳି ପ୍ରଦର୍ଶନ ପଛରେ ପୂର୍ବତନ ଅଧିନାୟକ ତଥା କ୍ୟାପେଟନ କୁଲ ଧୋନୀଙ୍କର ମଧ୍ୟ ବଡ ଅବଦାନ ରହିଛି । ଧୋନୀ ନା ଅଷ୍ଟ୍ରେଲିଆ ଯାଇଛନ୍ତି ନା ଟିମ୍ ମ୍ୟାନେଜମେଣ୍ଟରେ ଅଛନ୍ତି କିନ୍ତୁ ଅଷ୍ଟ୍ରେଲିଆରେ ଧୋନୀଙ୍କ ମନ୍ତ୍ର ଟିମ୍ ଇଣ୍ଡିଆର ବିଜୟରେ ବେଶ ସହାୟକ ହୋଇଛି । ଖାସକରି ଧୋନୀଙ୍କ ମନ୍ତ୍ର ଦୁର୍ଦ୍ଦଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ପ୍ରତିଫଳିତ ହୋଇଛି ।

ବଡ ବଡ ଛକା ମାରିବା ନେଇ କ୍ୟାପଟେନ କୁଲ ଧୋନୀ ଜଣାଶୁଣା । କେତେବେଳେ ହେଲିକପ୍ଟର ସଟ୍ ତ ପୁଣି କେତେବେଳେ ବିଶାଳ ଛକା ମାରି କ୍ରିକେଟପ୍ରେମୀଙ୍କ ମନ ଜିଣିଥାନ୍ତି ଧୋନୀ । ଟି-୨୦ ଫର୍ମାଟରେ ଧୋନୀଙ୍କର ରାଉଣ୍ଡ ବଟମ୍ ବ୍ୟାଟରୁ ଏଭଳି ବିଶାଳ ଛକା ଦେଖିବାକୁ ମିଳିଥାଏ । ଆଉ ଧୋନୀଙ୍କ ପରାମର୍ଶକ୍ରମେ ଚଳିତ ଟି-୨୦ ବିଶ୍ୱକପରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ ଓ ରିଷଭ ପନ୍ତ ରାଉଣ୍ଡ ବଟମ ବ୍ୟାଟରେ ଖେଳୁଛନ୍ତି । ଲୋକେଶ ରାହୁଲ ପ୍ରଥମ ୨ଟି ମ୍ୟାଚରେ ବିଫଳ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ଏହି ବ୍ୟାଟରେ ହିଁ ବିଶାଳ ଛକା ମାରିବାରେ ସକ୍ଷମ ହୋଇଥିଲେ । ଏହି ରାଉଣ୍ଡ ବଟମ ବ୍ୟାଟର ନିମ୍ନପାଶ୍ୱର୍ ଅନ୍ୟ ବ୍ୟାଟ ଠାରୁ ଭିନ୍ନ ହୋଇଥାଏ । ଅଥାର୍ତ ଏଭଳି ବ୍ୟାଟର ନିମ୍ନପାଶ୍ୱର୍ ଗୋଲାକାର ରହିଥାଏ ।

ଏଭଳି ବ୍ୟାଟରେ ବଡ ବଡ ସଟ୍ ଖେଳିବାକୁ ବେଶ ସହଜ ହୋଇଥାଏ । ଖାସକରି ଟି-୨୦ ଫର୍ମାଟରେ ହିଁ ଏଭଳି ବ୍ୟାଟ ଅଧିକ ବ୍ୟବହାର ହୋଇଥାଏ । ଫଳରେ ବଡ ବଡ ସଟ୍ ଖେଳିବାରେ ଖେଳାଳୀଙ୍କୁ ସେଭଳି ସମସ୍ୟା ହୋଇନଥାଏ । ଧୋନୀ ଏହି ବ୍ୟାଟରେ ଖେଳିବା ଆରମ୍ଭ କରିବା ପରଠାରୁ ଏହି ବ୍ୟାଟର ଚାହିଦା ଅଧିକ ବଢିଛି । ପୂର୍ବପେକ୍ଷା ଏହି ବ୍ୟାଟ ପାଇଁ ଅଧିକ ଅର୍ଡର ଆସୁଛି । ଖାସକରି ଅଧିକାଂଶ ଭାରତୀୟ ଖେଳାଳୀ ଏଭଳି ବ୍ୟାଟରେ ଖେଳିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।  ଆହତ ସମସ୍ୟାରୁ ବାହାରିବା ପରେ ପାଣ୍ଡ୍ୟା ମଧ୍ୟ ଏଭଳି ବ୍ୟାଟରେ ଖେଳିବା ଆରମ୍ଭ କରିଛନ୍ତି । ଆଉ ଏହି ବ୍ୟାଟରେ ବଡ ବଡ ସଟ୍ ଖେଳିବାରେ ମଧ୍ୟ ସକ୍ଷମ ହୋଇଛନ୍ତି ।

ଏସବୁ ଭିତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦମଦାର ଫର୍ମରେ ରହିଛନ୍ତି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ ସହ ବିପକ୍ଷ ଦଳର ନିଦ ହଜାଇଛି ଦକ୍ଷିଣ ଆଫ୍ରିକା । ବାଂଲାଦେଶ ବିପକ୍ଷରେ ୨୦୫ ରନର ବିଶାଳ ସ୍କୋର କରିଥିବା ଦକ୍ଷିଣ ଆଫ୍ରିକା ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ସହ ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଏତେଟା ସହଜ ହେବ ନାହିଁ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟ ହାସଲ କରୁ ବୋଲି ପାକିସ୍ତାନ କ୍ରିକେଟପ୍ରେମୀ ଚାହୁଁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟୀ ହେଲେ ହିଁ ପାକିସ୍ତାନ ପାଇଁ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବାର ସୁଯୋଗ ରହିଛି ।