ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ଜବତ ହୋଇଛି ୧ କୁଇଣ୍ଟାଲରୁ ଅଧିକ ଧଳା ଜହର, ଗିରଫ ହୋଇଛନ୍ତି ୧୩ ଶହ ନିଶା ବେପାରୀ

97

କନକ ବ୍ୟୁରୋ : ଶୁକ୍ରବାର ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ରେକର୍ଡ ୧୦ କେଜି ବ୍ରାଉନସୁଗାର ଜବତ ହେବା ସଙ୍କେତ ଦେଉଛି ନିଶା ବ୍ୟବସାୟୀଙ୍କ ବଡ ଚକ୍ରବ୍ୟୁହରେ ଫସିବାକୁ ଯାଉଛି ଓଡିଶା I ରାଜ୍ୟରେ ଏତେ ପରିମାଣର ବ୍ରାଉନ ସୁଗାର ଜବତ ହେବା ଏହା ପ୍ରଥମ ଘଟଣା ବୋଲି ଖୋଦ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି I ଘଟଣାରେ ଡିଲ୍ ର କିଙ୍ଗପିନ୍ ମଧ୍ୟପ୍ରଦେଶର ଆୟୁବ ଓ ସ୍ଥାନୀୟ ଅଞ୍ଚଳର ୫ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି I ତେବେ ଏହି ଘଟଣା ସ୍ପଷ୍ଟ ସଙ୍କେତ ଦେଉଛି ରାଜ୍ୟରେ ନିଶା ବ୍ୟବସାୟର ବଡ ସିଣ୍ଡିକେଟ ଚାଲୁଥିବା ବାଲେଶ୍ବର ସହରରେ ଧଳା ଜହର ବ୍ୟବସାୟୀ ଏବେ ବେଶ ସକ୍ରିୟ  I

  ବାଲେଶ୍ବର ଭୌଗଳିକ ସ୍ଥିତି ଏହାକୁ ବନାଇଛି ଓଡିଶା ପାଇଁ ନିଶା ବ୍ୟବସାୟର ଗେଟ୍ ୱେ I ସମୁଦ୍ର ଉପକୂଳ ଓ ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲ୍ଲା ହୋଇଥିବା ବାଲେଶ୍ବର ସହରରୁ ସାରା ଓଡିଶା ପାଇଁ ବ୍ରାଉନ ସୁଗାର ବ୍ୟବସାୟ ନେଟୱାର୍କ ପରିଚାଳତ ହେଉଛି I ସମୁଦ୍ର ସାଜିଛି ନିଶା ବ୍ୟବସାୟୀଙ୍କ ପରିବହନର ସୁରକ୍ଷିତ ମାର୍ଗ I  ବଙ୍ଗଳାଦେଶରୁ ପଶ୍ଚିମବଙ୍ଗ ମୁର୍ଶିତାବାଦ ଭାୟା ବାଲେଶ୍ବର ଦେଇ ଓଡିଶାର ବିଭିନ୍ନ ଜିଲ୍ଲାକୁ ବ୍ରାଉନସୁଗାର ଚୋରା ଚାଲାଣ ହେଉଛି I

ଉଭୟ ପୋଲିସ ଓ ଏସଟିଏଫ୍ ବାଲେଶ୍ବର ସହରକୁ ବ୍ରାଉନସୁଗାର ବ୍ୟବସାୟର ରାଜ୍ୟର ସବୁଠୁ ସମ୍ବେଦନଶଳ ଅଞ୍ଚଳ ମଧ୍ୟରେ ରଖିଛନ୍ତି I ଯଦି ପରିସଂଖ୍ୟାନ ଦେଖିବା ତେବେ ୨୦୨୦ ମସିହାରେ ବ୍ରାଉନ ସୁଗାର ଜବତ ସଂପର୍କୀତ ୨୦ଟି ମାମଲା ବାଲେଶ୍ବରରେ ପଞ୍ଜିକୃତ ହୋଇଥିଲା ୩ କେଜି ବ୍ରାଉନସୁଗାର ଜବତ ହୋଇଥିଲା, ୩୩ ଜଣକୁ ପୋଲିସ ଗିରଫ କରିଥିଲା I ୨୦୨୧ରେ ୫୩ ଟି ମାମଲା ପଞ୍ଜିକୃତ ହୋଇଥିଲା, ୬କେଜି ୫୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା, ୯୦ ଜଣଙ୍କୁ ଗିରଫ କରାଯାଇଥିଲା I ସେହିପରି ୨୦୨୨ରେ ଏପର୍ଯ୍ୟନ୍ତ ୨୨ଟି ମାମଲା ପଞ୍ଚିକୃତ ହୋଇଥିବା ବେଳେ ୧୨ କେଜି ବ୍ରାଉନ ସୁଗାର ଜବତ ହୋଇଛି ଓ ୫୩ ଜଣଙ୍କୁ ପୋଲିସ ଗିରଫ କରିଛି I

ଗତ ୩ ବର୍ଷରେ ରାଜ୍ୟରେ ଧଳାଜହର ଚୋରା କାରବାର ପରିସଂଖ୍ୟାନ ଦେଖିଲେ ଏହା ସମ୍ବେଦନଶୀଳ ସ୍ଥିତିରେ ପହଞ୍ଚିଥିବା ସ୍ପଷ୍ଟ ଜଣାପଡେ I ୨୦୨୦ରୁ ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୪ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏ ସଂପର୍କୀତ ୧୭୮ ମାମାଲା ପଞ୍ଜିକୃତ ହୋଇଥିଲା ଓ ୩୪୨ ଜଣଙ୍କୁ ଗିରଫ କରାଯାଇଥିଲା I ୨୦୨୧ରେ ରେକର୍ଡ ପ୍ରାୟ ୫୦ କେଜି ବ୍ରାଉନ ସୁଗାରଜବତ ହୋଇଥିବା ବେଳେ, ଏ ୩୪୯ଟି ମାମାଲା ପଞ୍ଜିକୃତ ହୋଇଥିଲା ଓ ୭୦୯ ଜଣ ନିଶା ବେପାରୀ ଗିରଫ ହୋଇଥିଲେ I ୨୦୨୨ରେ ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୪୨ କେଜି ବ୍ରାଉନସୁଗାର ଜବତ ହୋଇ ସାରିଥିବାବେଳେ ଏ ସଂପର୍କୀତ ୨୯୨ଟି ମାମଲାରୁଜୁ ହୋଇଛି ଓ ଏପର୍ଯ୍ୟନ୍ତ ୫୮୨ ଜଣଙ୍କୁ ଗିରଫ କରାଯାଇଛି I

ବିଗତ ଦିନରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ନିଶା ବ୍ୟବସାୟକୁ ଟାର୍ଗେଟକରି ଏହାର ଅପରେସନକୁ ଆହୁରି ଅଧିକ ସକ୍ରିୟ କରିଛି I ପଡୋଶୀ ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଅପରେସନ କରି ଓଡିଶାରେ ବ୍ରାଉନସୁଗାର ବ୍ୟବସାୟରେ ସଂପୃକ୍ତ ଥିବା ବଡ ନିଶା ମାଫିଆଙ୍କୁ ଏସଟିଏଫ ଗିରଫ କରିଛି I ଚବିଶ ପ୍ରଗଣା ଅଞ୍ଚଳର ରକିବୁଲ ଲସ୍କର, ସୁଧ୍ୟାନ ଗୟାନ, ମୁର୍ଶିତାବାଦ ଜିଲ୍ଲାର ସେକ୍ ସଫିକୁଲ ଓ ନଦିଆରୁ ଏସକେ ଲାଲୁ ଏହିପରି ଅନେକ ନିଶା ବ୍ୟବସାୟୀଙ୍କୁ ପଡୋଶୀ ରାଜ୍ୟରୁ ଗିରଫ କରିବାରେ ଏସଟିଏଫ୍ ସଫଳ ହୋଇଛି I ତେବେ ଯେତିକି ବ୍ରାଉନ ସୁଗାର ରାଜ୍ୟରୁ ଜବତ ହେଉଛି ତାହା ୩୦ ପ୍ରତିଶତ ହୋଇଥିବା ବେଳେ୭୦ ପ୍ରତିଶତ ନିଶାର ବଜାର ବିକ୍ରି ହେଉଥିବା ବିଶେଷଜ୍ଞ କୁହନ୍ତି I