ବିଜେପିକୁ ପୁଣି ଟାର୍ଗେଟ କଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ, ଅପରେସନ ଲୋଟସକୁ ନେଇ ଆଣିଲେ ଏଭଳି ଅଭିଯୋଗ

72

କନକ ବ୍ୟୁରୋ : ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବା ବେଳେ ଖୁବଶୀଘ୍ର ଗୁଜରାଟ ପାଇଁ ମଧ୍ୟ ତାରିଖ ଘୋଷଣା ହେବ । ଏହାର ମଧ୍ୟରେ ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଥା କଟାକଟି ଜୋର ଧରିଛି । ଏହି କ୍ରମରେ ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ନୂଆ ଖୁଲାସା କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ଦିଲ୍ଲୀର ଆପ୍ ବିଧାୟକଙ୍କୁ କିଣିବାକୁ ବିଜେପି ଷଡଯନ୍ତ୍ର କରୁଛି । ଏହି ମାମଲାରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।

ମନୀଷ ସିସୋଦିଆ କହିଛନ୍ତି କି ଦିଲ୍ଲୀର ୪୩ ଜଣ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କୁ କିଣିବାକୁ ବିଜେପି ୧୦୭୫ କୋଟି ଟଙ୍କା ରଖିଛି । ଏନେଇ ସେ ପ୍ରଶ୍ନ କରିଛନ୍ତି କି, ବିଜେପି ପାଖରେ ଏତେ ଟଙ୍କା କେଉଁଠୁ ଆସିଲା ? ହଜାର ହଜାର କୋଟି ଟଙ୍କା ବିନିମୟରେ ବିଧାୟକ କିଣିବାକୁ ବିଜେପି ଯୋଜନା କରୁଛି ବୋଲି ସେ ଅଭିଯୋଗ କରିବା ସହ ଏହି ମାମଲାରେ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି ।

ସିସୋଦିଆ କହିଛନ୍ତି କି, ‘ମୁଁ ଅନେକ ଦିନ ହେବ ଏହି ଅଭିଯୋଗ ଆଣୁଛି । ବିଜେପି ତରଫରୁ ମୋତେ କିଣିବାକୁ ବି ଅଫର ମିଳିଥିଲା’ । ସେ ସିଧା ସଳଖ ଗୃହମନ୍ତ୍ରୀ ଅମିତ ଶାହା ଏହି ବିଧାୟକ କିଣା ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗ କରିଛନ୍ତି । ଏହା ଉପରେ ଇଡି କିମ୍ବା ସିବିଆଇ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି ।