ବ୍ୟବସ୍ଥାର ଗୁମ ଖୋଲିଦେଲା ଟ୍ରଲି । ଅସୁସ୍ଥ ବାପାଙ୍କୁ ଟ୍ରଲିରେ ବସାଇ ୩୫ କିଲୋମିଟର ଆଣିଲା ଝିଅ

277

କନକ ବ୍ୟୁରୋ : ଅଭାବୀ ପରିବାରରେ ମୁଖିଆ ହଠାତ୍ ଅସୁସ୍ଥ ହୋଇପଡିଲେ ଭାଙ୍ଗି ପଡେ ପରିବାର । ହେଲେ ସାହାସ ହାରନ୍ତି ନାହିଁ ପୁଅ-ଝିଅ । ଡାକ୍ତରଖାନାକୁ ଯିବା ପାଇଁ ପାଖରେ କୌଣସି ସାଧନ ନଥିଲେ ଟ୍ରଲିରେ ବି ବାପାଙ୍କୁ ଡାକ୍ତରଖାନା ଆଣିପାରେ ଜଣେ ଝିଅ । ସେମିତି ଏକ କାହାଣୀ ଆସିଛି ଭଦ୍ରକରୁ । ବାପା ମାଆଙ୍କୁ ଟ୍ରଲିରେ ବସାଇ ଘର ଠାରୁ ୩୫ କିଲୋମିଟର ଦୂର ଭଦ୍ରକ ଡାକ୍ତରଖାନାକୁ ଆଣିଛି ୧୪ ବର୍ଷର ଝିଅ । ଡାକ୍ତରଙ୍କୁ ଦେଖାଇ ପୁଣି ଘରକୁ ଫେରୁଥିବା ବେଳେ ଗଣମାଧ୍ୟମ ନଜରକୁ ଆସିଥିଲେ ଏହି ବାପା-ଝିଅ । ବାପା-ଝିଅଙ୍କୁ ଅଟକାଇ ଏମିତି ଯାତ୍ରାର କାହାଣୀ ପଚାରି ବୁଝିଥିଲେ ଗଣମାଧ୍ୟମ ପ୍ରତିନିଧି, ସେତିକି ବେଳେ ସେଠାରେ ପହଂଚିଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଝିଅଟି ନିଜ ଦୁଃଖ ବାବଦରେ କହିବା ବେଳେ ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । କେଉଁଠୁ କେମିତି ଆରମ୍ଭ କରିବ, କିଛି ବୁଝି ପାରୁନଥିଲା । ତଥାପି ନିଜ ଭିତରେ ଥିବା କୋହକୁ ଚାପି ପୁରା କାହାଣୀ କହିଥିଲା । ବାପାଙ୍କ ହାତ ଭାଙ୍ଗି ଯିବା ପରେ କେମିତି ତାଙ୍କୁ ଟ୍ରଲିରେ ବସାଇ ଧାମନଗର ନଦିଗାଁରୁ ଭଦ୍ରକ ମେଡିକାଲକୁ ଆଣିଥିଲେ, ଟିକିନିକ୍ ସବୁ କିଛି କହିିଥିଲେ ୧୪ ବର୍ଷର ଝିଅ । ସୂଚନା ଅନୁସାରେ, ନନ୍ଦି ଗାଁର ଶମ୍ଭୁନାଥ ସେଠୀଙ୍କ ହାତ ଭାଙ୍ଗି ଯାଇଛି । ଅଭାବି ପରିବାର । ଗାଡି କରି ଡାକ୍ତରଖାନାକୁ ଆସିବା ପାଇଁ ପାଖରେ ଟଙ୍କା ନାହିଁ । ତେଣୁ ଶମ୍ଭୁଙ୍କ ଝିଅ ବାପାଙ୍କ ଟ୍ରଲିରେ ବାପାଙ୍କୁ ବସାଇ ନିଜେ ଟ୍ରଲି ଚଲାଇ ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ଭଙ୍ଗା ହାତର ଅପରେସନ୍ ପାଇଁ ଡାକ୍ତର ୭ ଦିନ ସମୟ ଦେବରୁ, ବାପା-ଝିଅ ଘରକୁ ଫେରି ଯାଉଥିଲେ । ସେହି ସମୟରେ ବାପା-ଝିଅଙ୍କ ଏ ଯାତ୍ରା ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ବିଧାୟକଙ୍କ ନଜରକୁ ଆସିଥିଲା । ବିଧାୟକ ସଂଜୀବ ମଲ୍ଲିକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ଶମ୍ଭୁ ଓ ତାଙ୍କ ଝିଅଙ୍କୁ ଘରକୁ ପଠାଇଛନ୍ତି ।