ଦାମ ଗଢିବେ ନୂଆ ଦଳ । କହିଲେ, ବିଜୁ ଅନୁଗତଙ୍କୁ ନେଇ ବିଜୁଙ୍କ ନାଁରେ ଗଢା ହେବ ଦଳ । ଅକ୍ଟୋବର ଶେଷ ସୁଦ୍ଧା କରାଯିବ ଘୋଷଣା

51

କନକ ବ୍ୟୁରୋ: ଦାମ ଗଢିବେ ନୂଆ ଦଳ । ଚଳିତ ମାସ ଶେଷ ସୁଦ୍ଧା ଗଠିତ ହେବ ଦଳ । ବିଜୁଙ୍କ ନାଁରେ ହେବ ଦଳ । ବର୍ତମାନ ବିଜେଡିରେ ସବୁ ନକଲି ବିଜୁ ପ୍ରେମୀ ଅଛନ୍ତି । ଆମେ ଅସଲି ବିଜୁ ଅନୁଗତଙ୍କୁ ନେଇ ଦଳ ଗଢିବୁ । ଏନେଇ କଥାବର୍ତ୍ତା ଚାଲିଛି । ଏବେ ପିତୃପକ୍ଷ ଚାଲିଛି, ଶୁଭ ବେଳା ଦେଖି ଘୋଷଣା କରିବୁ । କେଉଁ ନେତା ଯୋଗାଯୋଗରେ ଅଛନ୍ତି, ଏବେ ତାଙ୍କ ନାଁ ଗଣମାଧ୍ୟମରେ କହିବି ନାହିଁ । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ନେତା ତଥା ପାରାଦୀପର ବିଧାୟକ ଡା.ଦାମୋଦର ରାଉତ ।

ଅକ୍ଟୋବର ଶେଷ ସୁଦ୍ଧା ଏକ ନୂଆ ଦଳ ଗଠନ କରାଯିବ । ଯାହା ବିଜୁଙ୍କ ନାଁରେ ହେବ । ଆଉ ଏଥିରେ କେବଳ ଅସଲି ବିଜୁ ଅନୁଗତଙ୍କୁ ହିଁ ସ୍ଥାନ ମିଳିବ ବୋଲି କହିଛନ୍ତି ଡା.ଦାମୋଦର ରାଉତ । ଖାଲି ଏତିକି ନୁହେଁ ଦାମବାବୁ ଆହୁରୀ ମଧ୍ୟ କହିଛନ୍ତି କି, ବର୍ତ୍ତମାନ ପିତୃପକ୍ଷ ଚାଲିଛି , ତେବେ ଶୁଭ ବେଳା ଦେଖି ଦଳର ନାଁ ସହ ନୂଆ ଦଳର ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯିବ । ଅନ୍ୟପକ୍ଷରେ, ନୂତନ ଦଳ ଗଠନ ସମ୍ପର୍କରେ ସୂଚନା ପରେ ଡା. ରାଉତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି।

ଉଲ୍ଲେଖ ଥାଉ କି, ନିଜ ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ବିଶାଳ ମହିଳା ସମାବେଶର ଆୟୋଜନ ପରେ ବିଧାୟକ ଡା. ରାଉତ ଗତକାଲି କୁଜଙ୍ଗଠାରେ ନିଜ ସମର୍ଥକଙ୍କୁ ଭେଟିଥିଲେ। ବୈଠକରେ ତାଙ୍କର ଏକାନ୍ତ ଅନୁଗତମାନେ ଏକାଠି ହୋଇଥିଲେ। ସେଠାରେ ସେ ନୂତନ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଥିଲେ। ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ ଯେ ନୂତନ ଦଳର ପ୍ରଥମ ସମାବେଶ ବାରିପଦା, ଦ୍ବିତୀୟ କଟକ ଓ ତୃତୀୟ କୁଜଙ୍ଗରେ ଆୟୋଜନ କରାଯିବ। ବିଜେଡିରୁ ବହିଷ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ରାମକୃଷ୍ଣ ପଟ୍ଟନାୟକ, ସୁରେନ୍ଦ୍ର ନାୟକଙ୍କ ଭଳି ନେତାଙ୍କୁ ଏଥିରେ ସାମିଲ କରାଯିବ। ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ, ନୂତନ ଦଳ ଗଠନ ସମ୍ପର୍କରେ ସୂଚନା ପରେ ଡା. ରାଉତଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଯେଉଁମାନେ ଗତକାଲି ବିଜେଡିର ମହିଳା ସମାବେଶରେ ଦାମ ବିରୋଧୀ ମନ୍ତବ୍ୟକୁ ହଜମ କରିପାରିନାହାନ୍ତି, ଆଜି ସେମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ସେମାନଙ୍କ ମନ୍ତବ୍ୟରେ ବି ବିଧାୟକ ଡା. ରାଉତ ଉତ୍ତେଜିତ ହୋଇପଡ଼ିବା ଦେଖିବାକୁ ମିଳିଛି।