ଦାମ ଖୋଜୁଥିଲେ ଦମଦାର୍ ସାଥୀ ! ଦିଲୀପ ଓ ବିଜୟ ବିଜେପି ଛାଡ଼ିବାପରେ ମିଳିଗଲା ମଉକା, ମେସେଜ୍ ପଠାଇ ଦଳରେ ସାମିଲ ହେବାକୁ କଲେ ଆହ୍ୱାନ ।
ଯିଏ ପରିବର୍ତ୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ତାଙ୍କ ଦଳ ବିଜୁ ସମତାକ୍ରାନ୍ତିରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଦାମ ।
କନକ ବ୍ୟୁରୋ: ଗତକାଲି ବିଜେପିକୁ ବାଏ ବାଏ କହିଥିବା ଦୁଇ ହେଭିୱେଟ୍ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ ବିଧାୟକ ଦାମ ରାଉତ ଆହ୍ୱାନ ଦେଇଛନ୍ତି । ପରିବର୍ତ୍ତନ ପାଇଁ ହାତ ମିଶାଇବାକୁ ଏସଏମଏସ ମାଧ୍ୟମରେ ଉଭୟଙ୍କୁ ପ୍ରସ୍ତାବ ଦେଇଛନ୍ତି ଦାମ ରାଉତ । ତେବେ ଏନେଇ ଦାମ କହିଛନ୍ତି ଯେ, ଦିଲ୍ଲୀପ ଓ ବିଜୟ ହେଉଛନ୍ତି ରାଜନୀତିରେ ପୋଖତ ଆଉ ନିଜକୁ କାଉଁରିଆ କାଠି କହି ଭାଙ୍ଗିଯିବି ପଛେ ଓହରିବିନି ବୋଲି କହିଛନ୍ତି ପାରାଦୀପ ବିଧାୟକ ଦାମ ରାଉତ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିକଟରେ ନୂଆ ଦଳ ଗଢ଼ିଥିବା ଦାମ ରାଉତ କହିଛନ୍ତି ଯେ, ପରିବର୍ତ୍ତନ ଚାହୁଁଥିବା ଲୋକଙ୍କ ମଧ୍ୟରେ ମୁଁ ଜଣେ । ଯିଏ ପରିବର୍ତ୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ତାଙ୍କ ଦଳ ବିଜୁ ସମତାକ୍ରାନ୍ତିରେ ସାମିଲ ହୁଅନ୍ତୁ ବୋଲି କହିଛନ୍ତି ଦାମ । ଏହାସହ ନବୀନଙ୍କ ଉପରେ ମଧ୍ୟ ବର୍ଷି କହିଛନ୍ତି ଯେ, ନବୀନ ସ୍ଥିତି ପାଇଁ ନୀତି ବଦଳାନ୍ତି । ଯିଏ ତାଙ୍କୁ ଆଣି ନେତା କରିଥିଲେ, ପ୍ରଥମେ ତାଙ୍କୁ ଦଳରୁ ବିଦାକଲେ କହି ବିଜୟଙ୍କ ପୁରୁଣା କଥାକୁ ଉଖାରିଛନ୍ତି । ତେଣୁ ଯାହାର ସ୍ୱାଭିମାନ ଥିବ ସେ ପୁଣି କେମିତି ଦଳକୁ ଫେରିବ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବିଜୟ ଦିଲ୍ଲୀପ ପୁଣି ବିଜେଡିକୁ ଫେରିବେ, ଏହା ମୁଁ ବିଶ୍ବାସ କରିପାରୁନି । ସେ ଭାବିକି ଉଚିତ୍ ପଦକ୍ଷେପ ନିଅନ୍ତୁ । ଯଦି ବିଜୁଙ୍କ ପ୍ରତି ତିଳେ ମଧ୍ୟ ଆଶକ୍ତି ଅଛି ଠିକ୍ ନିଷ୍ପତ୍ତି ନେଇ ତାଙ୍କ ହାତ ଧରିବା ପାଇଁ ଉଭୟଙ୍କୁ ଆହ୍ୱାନ ଦେଇଛନ୍ତି ଦାମ ।
ସେପଟେ ଦାମଙ୍କ ପ୍ରସ୍ତାବକୁ ନେଇ ବିଜୟ ଓ ଦିଲୀପଙ୍କ ଠାରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ଏବେ ଦୁଇ ନେତା ଘରବାହୁଡ଼ା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ, ଦାମଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବେ କି ବିଜୟ- ଦିଲୀପ , ନା ରାଜନୀତି କ୍ୟାରିୟର ଯେଉଁଠାରୁ ଆରମ୍ଭ କରିଥିଲେ ସେହି ଘରକୁ ଫେରି ବିଜେପି ପାଇଁ ସମସ୍ୟା ସୃଷ୍ଟି କରିବେ ତାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହେଇଛି ।