ଘଣ୍ଟାକୁ ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ତିତଲି । ଘଣ୍ଟାକୁ ୮୦ କିଲୋମିଟର ବେଗରେ ବହିପାରେ ପବନ, ଦଶହରାକୁ କରିପାରେ ଫିକା

95

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆସନ୍ତାକାଲି ସଂନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ବିଶେଷ କରି ପୁରୀ, ଗଂଜାମ, ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ୧୦ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବ । ଏହି ସମୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ବର୍ତମାନ ଅବପାତ ଗୋପାଳପୁରଠାରୁ ୬୫୦ କିଲୋମିଟର ଦୂରରେ ରହିଛି । ଏହା ଘଂଟାପ୍ରତି ୧୨ କିଲୋମିଟର ବେଗରେ ଭୂପୃଷ୍ଠ ଆଡକୁ ଗତି କରୁଛି । ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହାର ଗତି ବଢିବା ସମ୍ଭାବନା ରହିଛି ।

ଅକ୍ଟୋବର ମାସରେ ପୁଣି ବଢିଛି ବାତ୍ୟା ଚିନ୍ତା । ପୂର୍ବରୁ ଫାଇଲିନ୍ ଓ ହୁଡହୁଡ ପରି ବାତ୍ୟା ତିତଲି ବଙ୍ଗୋପସାଗରରେ ଆକାର ନେଉଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଛି । ଆଗାମୀା ୪୮ ଘଂଟା ଭିତରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ଏହାର ଗତି ଓଡିଶା ମୁହାଁ ରହିଛି । ଅବପାତ ଅଧିକ ଘନିଭୂତ ହୋଇ ବାତ୍ୟାର ରୂପ ନେଲାବେଳକୁ ଏହାର ଗତି ଉତ୍ତର-ପଶ୍ଚିମ ଦିଗକୁ ଅର୍ଥାତ ଓଡିଶା ଏବଂ ଏହାକୁ ଲାଗି ରହିଥିବା ଉତ୍ତର ଆନ୍ଧ୍ରପ୍ରଦେଶର କେତେକ ଅଂଚଳକୁ ରହିବ ।

ସୋମବାର ସଂଧ୍ୟା ସୁଦ୍ଧା ଅବପାତ ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ- ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ତେବେ ୧୦ ତାରିଖରୁ ଓଡିଶାରେ ବର୍ଷାର ପରିମାଣ ବଢ଼ିବା ସହ ପବନର ବେଗ ମଧ୍ୟ ବଢିବା ଅନୁମାନ କରାଯାଉଛି । ଏହି ସମୟରେ ଘଂଟାପ୍ରତି ପବନର ବେଗ ସର୍ବାଧିକ ୮୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଓ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ବର୍ତମାନ ଲଘୁଚାପ ଦୁର୍ବଳ ହେବାର ସମ୍ଭାବନା କମ୍ ଥିବା ପାଣିପାଗ ବିଭାଗ କହିଛି । ତେଣୁ ଦଶହରା ବେଳକୁ ବର୍ଷା, ପବନ ଲାଗି ରହିଲେ ଉତ୍ସବକୁ ଫିକା କରିଦେବା ଆଶଙ୍କା ଦେଖାଦେଇଛି । ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୯ ତାରିଖ ବେଳକୁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ବର୍ଷା ହେବ । ସେହିପରି ୧୦ ତାରିଖ ବେଳକୁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ରେଡ ଆଲର୍ଟ ସହ ଭଦ୍ରକ, ବାଲେଶ୍ୱର, ନୟାଗଡ, ଖୋର୍ଦ୍ଧ, ଯାଜପୁର, କଟକ ଆଦି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ୧୧ ତାରିଖରେ ମଧ୍ୟ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।

ବଙ୍ଗୋପସାଗର ସମେତ ଆରବ ସାଗରରେ ମଧ୍ୟ ଏକ ସାମୁଦ୍ରିକ ଝଡ ସୃଷ୍ଟି ହୋଇଥିଲେ ମଧ୍ୟ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଜଣାପଡିଛି । ହେଲେ ତିତ୍ଲି ବାତ୍ୟାର ରୂପ ନେଲେ ଏହା ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ବାଂଲାଦେଶ ଆଡକୁ ଚାଲିଯିବ । ତଥାପି ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ସରକାର ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ତାହା କାଲି ସ୍ପଷ୍ଟ ହେବାକୁ ଥିବା ବେଳେ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି । ଏହା ସହ ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପାଇଁ ଛୁଟି ମଧ୍ୟ ବାତିଲ ହୋଇଛି । ଏହା ସହ କାହାରିକୁ ଛୁଟିରେ ନଯିବାକୁ ଅନୁମତି ନଦେବାକୁ ମଧ୍ୟ କୁହାଯାଇଛି । ଏସଆରସି ଅଫିସ, ଓସଡମା ଅଫିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଡେପୁଟି ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ।