ଗୁଳିମାଡର କାରଣ ଖୋଜୁଛି କ୍ରାଇମବ୍ରାଂଚ: ‘୨ଘଂଟାରେ ୫୦ ପ୍ରଶ୍ନ’

906

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି ମାରିଲେ ଏଏସଆଇ ଗୋପାଳ ଦାସ । ଗୁଳି ମାରିବା ପଛର କାରଣ କଣ? ଏହାର କାରଣ ଖୋଜୁଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ପାଖାପାଖି ୨ଘଂଟା ଜେରା କରିବା ପରେ ଆଜି ପ୍ରାୟ ୩ରୁ ୪ଘଂଟା ଜେରା କରାଯାଇଛି । ଏଡିଜି ଅରୁଣ ବୋଥ୍ରା ନିଜେ ଗୋପାଳଙ୍କୁ ପଚରାଉଚୁରା କରୁଛନ୍ତି । ଏଥିସହ ଗୋପାଳଙ୍କ ହେଣ୍ଡ ସ୍ୱାବ ନିଆଯାଇଛି । ହେଲେ, ଏପର୍ଯ୍ୟନ୍ତ ଗୁଳିମାଡର କାରଣ କଣ ସ୍ୱଷ୍ଟ ହୋଇନି ।

ଗୁଳି ମାଡ କରିଥିବା ଏଏସଆଇ ଗୋପାଳ କୃଷ୍ଣ ଦାସ, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି ମାରିଲେ? ତାହା ଜାଣିବାକୁ ଓଡିଶାବାସୀ ଜାଣିବାକୁ ଚାହିଁ ରହିଥିବାବେଳେ, କାରଣ ଖୋଜୁଛି କ୍ରାଇମବ୍ରାଂଚ । ଗୋପାଳଙ୍କୁ ସୁନ୍ଦରଗଡ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି । ଏଡିଜି ଅରୁଣ ବୋଥ୍ରା ନିଜେ ଗୋପାଳ ଦାସଙ୍କୁ ଜେରା କରୁଛନ୍ତି । ସୂଚନା ଅନୁସାରେ ରବିବାର ରାତିରେ ପାଖାପାଖି ୨ଘଂଟା ପଚରାଉଚୁରା କରିଥିଲେ । ଦ୍ୱିତୀୟ ଦିନରେ ବି ୩ରୁ ୪ଘଂଟା ପଚରାଉଚୁରା କରିଛନ୍ତି । ପ୍ରଥମ ଦିନରେ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ବୋଥ୍ରା ।

କ୍ରାଇମବ୍ରାଂଚ କରିଥିବା ସମ୍ଭାବ୍ୟ ପ୍ରଶ୍ନ..
– କାହିଁକି ନବ ଦାସଙ୍କୁ ଗୁଳି କଲେ?
– ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କିଛି ବ୍ୟକ୍ତିଗତ ଶତ୍ରୁତା ଥିଲା କି?
– ମନ୍ତ୍ରୀଙ୍କ ଉପରେ ପୁରୁଣା ରାଗ ଥିଲା କି?
– କେଉଁ କଥାକୁ ନେଇ ମନ୍ତ୍ରୀଙ୍କ ଉପରେ ରାଗିଥିଲେ?
– ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିଲେ କି?
– ଯଦି ହଁ, ହତ୍ୟା ଯୋଜନାରେ ଆଉ କିଏ ତାଙ୍କୁ ସହଯୋଗ କରିଥିଲେ କି?
– ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିଏ ଉସକେଇଥିଲା କି?
– ହତ୍ୟା ପଛରେ ରାଜନୈତିକ କିମ୍ବା ବ୍ୟବସାୟିକ ସଂପୃକ୍ତି ଅଛି କି?
– ସମସ୍ତଙ୍କ ସାମ୍ନାରେ ଗୁଳି ମାରିବା ପଛରେ କ’ଣ କାରଣ?
– ମାନସିକ ରୋଗ ପାଇଁ କେବେଠୁ ଔଷଧ ସେବନ କରୁଛନ୍ତି?

କେବଳ ଏତିକି ନୁହେଁ, ଘଟଣାସ୍ଥଳକୁ ଯାଇ ଯାଂଚ କରିଛି କ୍ରାଇମବ୍ରାଂଚ । ଯେଉଁଠି ଗୁଳିକାଣ୍ଡ ହୋଇଥିଲା ସେହି ସ୍ଥାନର ପାରିପାଶ୍ୱର୍ିକ ସ୍ଥିତିର ଅନୁଧ୍ୟାନ କରିଛି । ଏଥିସହ ଗୋପାଳଙ୍କ ହେଣ୍ଡ ସ୍ୱାବ୍ ନିଆଯାଇଛି । ସେ ପିନ୍ଧିଥିବା ପୋଲିସ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଂଚ । ସେହିିପରି ନବ ଦାସଙ୍କ ପୋଷାକକୁ ମଧ୍ୟ କ୍ରାଇମବ୍ରାଂଚ ନେଇଛି । ଏସବୁ ଏସଏଫଏଲକୁ ପଠାଯିବ ।

ଅନ୍ୟପଟେ ନବ ଦାସଙ୍କୁ ଗୁଳିମାଡ ପରେ ରାଜ୍ୟର ଆଇନଶୃଂଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଏବଂ କ୍ରାଇମବ୍ରାଂଚ ତଦନ୍ତ ବଦଳରେ ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ତେବେ ତଦନ୍ତ ଉପରେ ଭରଷା ରଖନ୍ତୁ ବୋଲି କହିଛି ଶାସକ ଦଳ ।

କ୍ରାଇମବ୍ରାଂଚ ଗୁଳିମାଡ ଘଟଣାର ତଦନ୍ତ କରୁଥିବାବେଳେ, ସେପଟେ ଝାରସୁଗୁଡାରେ ବରିଷ୍ଠ ଅଧିକାରୀମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଗୁଇନ୍ଦା ବିଭାଗ ମୁଖ୍ୟ ସଞ୍ଜିବ ପଣ୍ଡା । ଅନ୍ୟପଟେ ବ୍ରଜରାଜନଗର ଥାନାରେ ଗୋପାଳଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇପିସି ୩୦୭ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ । ଆଉ ତାଙ୍କୁ ଗିରଫ କରିବା ସହ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛନ୍ତି କ୍ରାଇମବ୍ରାଂଚ ।