ଗୁଳିମାଡର ରହସ୍ୟ କ’ଣ? ବୋଥ୍ରା ଖୋଲିବେ ଭିତିରି କଥା?

15,094

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳିମାଡ ଘଟଣାରେ ବିରୋଧୀ ଷଡଯନ୍ତ୍ରର ଗନ୍ଧ ବାରୁୁଥିବାବେଳେ, ସିବିଆଇ ତଦନ୍ତ ପାଇଁ ଦାବି କରିବା ଭିତରେ ବି ଅନୁସନ୍ଧାନ ଜାରି ରଖିଛି କ୍ରାଇମବ୍ରାଂଚ । ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ପୋଲିସ ଅଧିକାରୀଙ୍କ ଗୁଳିରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାରୁ ଏହି ମାମଲା ବେଶ ସମ୍ବେଦନଶୀଳ ହୋଇପଡିଛି । ଗୁଳିମାଡ ପଛର ରହସ୍ୟ ଉପରୁ ପରଦା ହଟାଇବା କ୍ରାଇମବ୍ରାଂଚ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।

ବଲାଙ୍ଗୀରର ପାର୍ସଲ ବୋମା ମାମଲା ହେଉ କି ନୟାଗଡର ପରୀ ମାମଲା, ତଦନ୍ତ କରି ରହସ୍ୟ ଉନ୍ମୋଚନ କରିଥିବା କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରାଙ୍କ ପାଇଁ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏଏସଆଇ ଗୁଳିମାଡ କରିବା ମାମଲାର ସତ ପଦାକୁ ଆଣିବା ବଡ ଚ୍ୟାଲେଞ୍ଜ ହୋଇପାରେ । କାରଣ, ଅଭିଯୁକ୍ତ ଜଣଙ୍କ ନିଜେ ପୋଲିସ ହୋଇଥିବାରୁ ତାଙ୍କୁ ଆଇନ ବ୍ୟବସ୍ଥାରେ ଥିବା ଗଳାବାଟ ବେଶ୍ ଜଣା । ତେଣୁ ସେ ସେହି ଗଳାବାଟର ସୁଯୋଗ ନେଇ ହୁଏତ ତଦନ୍ତକାରୀ ଟିମକୁ ବାଟବଣା କରିବାକୁ ଉଦ୍ୟମ କରିପାରନ୍ତି । ଖସିବାକୁ ମିଛ ନାଟକ ବି କରିପାରନ୍ତି । ଏସବୁ ଭିତରେ, ଗୁଳିମାଡ ପଛରେ ରାଜନୈତିକ ଷଡଯନ୍ତ୍ର ଥିବା ବିରୋଧୀ ଅଭିଯୋଗ ଆଣିବା ପରେ ସନ୍ଦେହ ଆହୁରି ବଢ଼ି ଯାଇଛି ।

ଅଭିଯୁକ୍ତ ଗୋପାଳଙ୍କୁ ଗିରଫ କରାଯାଇଥିଲେ ବି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା, ଗୁଳିମାଡ ପାଇଁ ଦଣ୍ଡିତ କରିବା ବଡ ଚ୍ୟାଲେଞ୍ଜ । ଏହାକୁ କୋର୍ଟରେ ପ୍ରମାଣିତ କରିବାକୁ ପଡିବ? ଏଥିସହ ଯଦି ଯୋଜନା ବଦ୍ଧ ହତ୍ୟାକାଣ୍ଡ ହୋଇଥାଏ, ତା

ହେଲେ ତାଙ୍କ ପଛରେ ଆଉ କିଏ ତାହା ବାହାର କରିବା, କ୍ରାଇମବ୍ରାଂଚ ପାଇଁ ବଡ ଚ୍ୟାଲେଞ୍ଜ ହେବ । ନଜର ପକାନ୍ତୁ କ୍ରାଇମବ୍ରାଂଚ ପାଇଁ କଣ ହୋଇପାରେ ଚ୍ୟାଲେଞ୍ଜ..
– ଏଏସଆଇ ତାଙ୍କ ସର୍ଭିସ ବନ୍ଧୁକରୁ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି
– ଗୁଳିମାଡ ପଛରେ ଭିତିରି କଥା କଣ?
– ବ୍ୟକ୍ତିଗତ କାରଣରୁ ଗୁଳିମାଡ ନା ଆଉ କିଛି ରହସ୍ୟ?
– ରାଜନୈତିକ, ବ୍ୟବସାୟିକ ଷଡଯନ୍ତ୍ର ଅଛି କି ନାହିଁ ?
– ଗୁଳି ମାରିବା ସମୟରେ କିପରି ଥିଲା ମାନସିକ ସ୍ଥିତି?

ପୂରା ରହସ୍ୟ ଉପରୁ ପରଦା ହଟାଇବା ପାଇଁ କ୍ରାଇମବ୍ରାଂଚ ଗୋପାଳଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି । କିନ୍ତୁ ଗୁଳିକାଣ୍ଡ ପଛରେ ଯଦି ବ୍ୟକ୍ତିଗତ କାରଣ ନଥାଇ, ରାଜନୈତିକ କି ବ୍ୟବସାୟିକ କାରଣ ଥିବ ତାକୁ ପଦାକୁ ଆଣିବାକୁ ସକ୍ଷମ ହେବ ତ କ୍ରାଇମବ୍ରାଂଚ?