ଅଷ୍ଟ୍ରେଲିଆକୁ ହରାଅ, ନହେଲେ ଭୁଲିଯାଅ ବିଶ୍ୱକପ୍ । ରୋହିତ ଶର୍ମାଙ୍କୁ ଚ୍ୟାଲେଞ୍ଜ ଦେଲେ ଭାରତୀୟ କ୍ରିକେଟର ।

376

କନକ ବ୍ୟୁରୋ: ବିଶ୍ୱକପ୍ ପାଇଁ ଆରମ୍ଭ ହେଇଯାଇଛି କାଉଂଟଡାଉନ୍ । ପ୍ରସ୍ତୁତ ହେବାରେ ଲାଗିଛି ରଣନୀତି । ଟିମ୍ ଇଣ୍ଡିଆ ବି ଏବେ ମିଶନ୍ ବିଶ୍ୱକପ୍ ଲକ୍ଷ୍ୟରେ ରହିଛି । ଆଉ ଏହାରି ଭିତରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ।

ଅଷ୍ଟ୍ରେଲିଆକୁ ହରାଅ, ନହେଲେ ଭୁଲିଯାଅ ଟି-୨୦ ବିଶ୍ୱକପ୍ । କଙ୍ଗାରୁ ଟିମକୁ ଟି-୨୦ ସିରିଜରେ ହରେଇପାରିଲେ ହିଁ, ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ୱାଲ୍ଡକପ୍ ଜିତିପାରିବ । ନହେଲେ ବିଶ୍ୱକପ୍ ଜିତିବା ରୋହିତ ବାହିନୀ ପାଇଁ ଏକପ୍ରକାର ଅସମ୍ଭବ ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ସହିତ ଟି-୨୦ ସିରିଜ୍ ଖେଳିବ । ଯାହାର ଆରମ୍ଭ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ହେବାକୁ ଯାଉଛି । ଏହି ସିରିଜରେ ଟିମ୍ ଇଣ୍ଡିଆ ୩ଟି ଲେଖାଏଁ ଟି-୨୦ ମ୍ୟାଚ୍ ଖେଳିବ । ଯାହାକୁ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାଟିସ୍ ସେସନ୍ ବୋଲି ବି କୁହାଯାଉଛି । ଦଳ ପାଇଁ କେଉଁ ଖେଳାଳି କେମିତି ପ୍ରଦର୍ଶନ କରୁଛନ୍ତି ତାହା ଏହି ସିରିଜରେ ଦେଖିବା ସହିତ, ନିଜର ଶେଷ ତ୍ରୁଟି ସୁଧାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ କ୍ରିକେଟ୍ ଦଳ ।

ଗମ୍ଭୀରଙ୍କ କହିବା ଅନୁସାରେ, ୨୦୦୭ ଟି-୨୦ ବିଶ୍ୱକପରେ ଭାରତ, ଅଷ୍ଟ୍ରେଲିଆକୁ ସେସିଫାଇନାଲରେ ହରେଇଥିଲା, ୨୦୧୧ ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ମଧ୍ୟ ସେହି ସମାନ ଘଟଣା ଘଟିଥିଲା । ତେଣୁ ଏହି ଦୁଇଟି ବିଶ୍ୱକପରେ ଭାରତ ଟ୍ରଫି ଉଠାଇ ପାରିଥିଲା । ତେଣୁ ଏଥର ବିଶ୍ୱକପ୍ ପୂର୍ବରୁ ହେବାକୁ ଯାଉଥିବା ସିରିଜରେ ଯଦି ଟିମ୍ ଇଣ୍ଡିଆ ବାଜି ମାରେ, ତେବେ ଯାଇ ବିଶ୍ୱକପ ଜିତିବାର ମୌକା ସୃଷ୍ଟି ହେବ ବୋଲି କହିଛନ୍ତି ଗୌତମ ଗମ୍ଭୀର ।

ଏସିଆ କପର ଭୁଲ ବିଶ୍ୱକପରେ ପୁଣିଥରେ ଦୋହରାଇବାକୁ ଚାହିଁବନି ଟିମ୍ ଇଣ୍ଡିଆ । ଏଥର ଲଗାତାର ଦୁଇଟି ପରାଜୟ ଏସିଆ କପରୁ ଟିମ୍ ଇଣ୍ଡିଆକୁ ବିଦା କରିଥିଲା । ତେଣୁ ବିଶ୍ୱକପରେ ସେଭଳି କୌଣସି ବିପର୍ଯ୍ୟୟ ନହେଉ ବୋଲି ଟିମ୍ ଇଣ୍ଡିଆ ରଣନୀତି ପ୍ରସ୍ତୁତ କରୁଛି ।