କୁନୋ ନ୍ୟାସନାଲ ପାର୍କରେ କେମିତି ଅଛନ୍ତି ନାମିବ୍ୟାରୁ ଆସିଥିବା ୮ ଚିତା ? ଜାଣନ୍ତୁ ୨୪ ଘଣ୍ଟା ପରେ କିଭଳି ରହିଛି ଲକ୍ଷଣ

573

କନକ ବ୍ୟୁରୋ : ନାମିବ୍ୟାରୁ ଭାରତ ଆସିଥିବା ୮ ଚିତା କୁନୋ ନ୍ୟାସନାଲ ପାର୍କରେ ରହିବାର ୨୪ ଘଂଟା ବିତିଗଲାଣି । ପାର୍କର ପରିଚାଳକ ଏନେଇ କହିଛନ୍ତି କି ପାର୍କରେ ସେମାନଙ୍କୁ ଛଡାଯିବା ପରେ ସେମାନେ ନୂଆ ପରିବେଶରେ ଆରମ୍ଭରୁ ଟିକେ ବିଚଳିତ ହେଉଥିଲେ । ହେଲେ ଧିରେ ଧିରେ ସେମାନେ ଆଡଜଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । ପ୍ରଥମଦିନ ସେମାନଙ୍କୁ ଏଠାରେ ଛଡାଯିବା ପରେ ସେମାନେ ଟିକେ ନର୍ଭସ ହୋଇପଡିଥିଲେ । ହେଲେ ଏବେ ସେମାନଙ୍କର ବ୍ୟବହାର ସାମାନ୍ୟ ସକାରାତ୍ମକ ହୋଇଛି ।

ଚିତାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ୱାର୍ଡରେ ସେମାନେ ଏବେ ବୁଲାବୁଲି କରୁଛନ୍ତି । ସେମାନଙ୍କର ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ସାଧାରଣ ରହିଥିବା କୁହାଯାଇଛି । ଏହାସହ ସେମାନଙ୍କୁ ଆଜି ସେହି ୱାର୍ଡ ଭିତରେ ଖାଇବାକୁ ଗୋମାଂସ ଦିଆଯାଇଛି ।

କହିରଖୁ କି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦେଶବାସୀଙ୍କୁ ୮ ଟି ଚିତାବାଘ ଉପହାର ଦେଇଥିଲେ । ୭୪ ବର୍ଷ ପୂର୍ବରୁ ଭାରତରୁ ବିଲୁପ୍ତ ହୋଇଯାଇଥିବା ଏହି ପ୍ରଜାତିର ବାଘ ପୁଣିଥରେ ଭାରତ ଆସିଥିବା ନେଇ ଦେଶବାସୀ ଖୁବ ଉତ୍ସାହିତ ଅଛନ୍ତି । ୧୯୫୪ ମସିହାରେ ଭାରତର ଜଙ୍ଗଲରୁ ଚିତା ବିଲୁପ୍ତ ହୋଇଯାଇଥିବା ନେଇ ଘୋଷଣା କରାଯାଇଥିଲା ।
ଏବେ ନାମିବ୍ୟାରୁ ଆସିଥିବା ଏହି ଚିତାଙ୍କର ଦେଖାରଖା କରିବାକୁ ନିକଟସ୍ଥ ୯୦ ଟି ଗ୍ରାମର ୪୫୦ ଜଣ ଲୋକଙ୍କୁ ଚିତା ମିତ୍ର ଭାବେ ନିୟୋଜିତ କରାଯାଇଛି । ଏମାନେ କେବଳ ଚିତାଙ୍କୁ ଶିକାରୀଙ୍କ କବଳରୁ ରକ୍ଷା କରିବେ ।