ଚମକାଇ ଦେଲା ଗତ ୨୪ ଘଂଟାରେ କରୋନା ସଂକ୍ରମଣ । ଦେଶରେ ୧ ଲକ୍ଷ ୩୧ ହଜାର ନୂଆ ମାମଲା । ଓଡିଶାରେ ଗୋଟିଏ ଦିନରେ ୧୨୮୨ ସଂକ୍ରମିତ ।

213

କନକ ବ୍ୟୁରୋ: ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । ଗତ ୩ ଦିନର ସଂକ୍ରମଣ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ।  ଆଜି ରେକର୍ଡ ସଂଖ୍ୟକ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୮୦ ଜଣ ପ୍ରାଣ ହରାଇଛନ୍ତି । ୧୦ଦିନ ମଧ୍ୟରେ ଦୈନିକ ସଂକ୍ରମଣ ଅଢେଇଗୁଣରୁ ଅଧିକ ବଢିଛି । ସେହିଭଳି ରାଜ୍ୟରେ ମାତ୍ର ୪ ଦିନରେ ଦୁଇଗୁଣରୁ ଅଧିକ ହୋଇଛି  ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୧୨ ଶହ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦଶ ଦିନ ମଧ୍ୟରେ ବଦଳିଯାଇଛି ଦେଶର କରୋନା ଚିତ୍ର । ମାର୍ଚ୍ଚ ୩୧ ପରଠାରୁ ପୂରା ଲଗାମଛଡ଼ା ହୋଇଯାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ୩୧ ତାରିଖରେ ଦୈନିକ ସଂକ୍ରମଣ ୫୦ ହଜାର ଉପରେ ଥିବା ବେଳେ ଏପ୍ରିଲ ୧ ତାରିଖରେ ୨୪ ଘଂଟାରେ ଚିହ୍ନଟ ହୋଇଥିଲେ ୭୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ । ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଥିଲା । ଏପ୍ରିଲ ୫ ତାରିଖରେ ୧ ଲକ୍ଷ ଟପି ଯାଇଥିଲା ସଂକ୍ରମଣ ।

ଦେଶର କରୋନା ମିଟର

  • ମାର୍ଚ୍ଚ ୩୧ – ୫୩,୪୯୦
  • ଏପ୍ରିଲ ୧ – ୭୨,୩୩୦
  • ଏପ୍ରିଲ ୨ – ୮୧,୪୬୬
  • ଏପ୍ରିଲ ୩ – ୮୯,୧୨୯
  • ଏପ୍ରିଲ ୪ – ୯୩,୨୪୯
  • ଏପ୍ରିଲ ୫ – ୧,୦୩,୫୫୮
  • ଏପ୍ରିଲ ୬ – ୯୬,୯୮୨

ଗତ ତିନି ଦିନର ସଂକ୍ରମଣ ଏପରି ଭାବେ ବୃଦ୍ଧି ପାଇଛି ଯାହା ସାରା ଦେଶରେ ଭୟ ସୃଷ୍ଟି କରିଛି । ଏପ୍ରିଲ ୯ ତାରିଖରେ ୧ଲକ୍ଷ ୩୧ହଜାର ୯୬୮ ନୂଆ ଆକ୍ରାନ୍ତ ଏବଂ ୭୮୦ ଜଣଙ୍କ ମୃତ୍ୟୁ, ୮ ତାରିଖରେ ୧ଲକ୍ଷ ୨୬ ହଜାର ୭୮୯ ଆକ୍ରାନ୍ତ ଓ ୬୮୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୭ ତାରିଖରେ ୧ଲକ୍ଷ ୧୫ ହଜାର ୭୩୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦେଶର କରୋନା ମିଟର

  • ଏପ୍ରିଲ ୯ – ୧,୩୧,୯୬୮ ଆକ୍ରାନ୍ତ – ୭୮୦ ମୃତ୍ୟୁ
  • ଏପ୍ରିଲ ୮ –  ୧,୨୬,୭୮୯ ଆକ୍ରାନ୍ତ – ୬୮୫ ମୃତ୍ୟୁ
  • ଏପ୍ରିଲ ୭ – ୧,୧୫,୭୩୬ ଆକ୍ରାନ୍ତ – ୬୩୦ ମୃତ୍ୟୁ

ଏପଟେ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ଏକ ହଜାର ଟପିଛି । ୨୪ ଘଂଟା ଭିତରେ ରାଜ୍ୟରେ ୧,୨୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ୮ ତାରିଖରେ ୮୭୯ ଓ ୭ ତାରିଖରେ ୭୯୧ ନୂଆ ମାମଲା ସାମନାକୁ ଆସିଥିଲା । ୬ ତାରିଖ ପରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ । ମାତ୍ର ୪ ଦିନ ଭିତରେ ଦୁଇଗୁଣରୁ ଅଧିକ ହୋଇଯାଇଛି ଦୈନିକ ସଂକ୍ରମଣ ।

ଓଡ଼ିଶା କରୋନା ମିଟର

  • ଏପ୍ରିଲ ୯ – ୧୨୮୨
  • ଏପ୍ରିଲ ୮ –  ୮୭୯
  • ଏପ୍ରିଲ ୭ – ୭୯୧
  • ଏପ୍ରିଲ ୬ – ୫୮୮

ବିଶେଷକରି ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ସ୍ଥିତି ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ ସୁନ୍ଦରଗଡ଼ରେ ୨୨୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗଂଜାମ ଜିଲ୍ଲାରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଗଂଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ପାଇଁ ଗାଇଡଲାଇନ୍  ଜାରି କରାଯାଇଛି । ସପ୍ତାହରେ ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୋନପୁର ବେଳାଭୂମି । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ବନ୍ଦ ରଖାଯିବ । ସେହିପରି ସାନିଟାଇଜ୍ ପାଇଁ ବୁଧବାର ବନ୍ଦ ରହିବ ମା ତାରାତାରିଣୀ ପୀଠ । ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା ଏଥର କରୋନା କଟକଣା ମଧ୍ୟରେ ହେବ  ।

କରୋନାର ଦ୍ୱିତୀୟ ଲହର ଭୟ ସୃଷ୍ଟି କରୁଥିବା ବେଳେ ଗଞ୍ଜାମକୁ ଶହଶହ ପ୍ରବାସୀ ଫେରିବା ଆରମ୍ଭ କରିଛନ୍ତି । ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ ରହିଥିବା ବେଳେ ପ୍ରକୃତ ସ୍ଥିତି କିନ୍ତୁ ଅଲଗା । ରେଳ ଷ୍ଟେସନରେ କେବଳ ଥର୍ମାଲ ସ୍କ୍ରିନିଂ କରି ଛାଡିି ଦିଆଯାଉଥିବା ଦେଖିବାକୁ ମିଳୁଛି । ତେଣୁ ପ୍ରବାସୀମାନେ ପୁଣି ସଂକ୍ରମଣ ବୃଦ୍ଧିର କାରଣ ପାଲଟି ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏପଟେ କଟକଣା ମଧ୍ୟରେ ହେବ ରୁକୁଣା ରଥଯାତ୍ରା । ଏହାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ଜାରି କରିଛି ଗାଇଡଲାଇନ ।

– ବିନା ଭକ୍ତରେ ଗଡିବ ରୁକୁଣା ରଥ

– ରୁକୁଣା ରଥଯାତ୍ରାରେ କେବଳ ଅଂଶଗ୍ରହଣ କରିପାରିବେ ସେବାୟତ

– ୪୮ ଘଂଟା ଆଗରୁ ଅଂଶଗ୍ରହଣ କରୁଥିବା ସେବାୟତଙ୍କ ହେବ ଆରଟିପିସିଆର ଟେଷ୍ଟ

– ରଥଯାତ୍ରାରେ ସେବାୟତ ପିନ୍ଧିବେ ମାସ୍କ, ମାନିବାକୁ ପଡିବ ସାମାଜିକ ଦୂରତା

– ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା

– ରଥଯାତ୍ରା ସମୟରେ ବାଣ ଫୁଟାଇବା ଉପରେ କଟକଣା

– ରଥଯାତ୍ରା ସମୟରେ ପାନଛେପ ପକାଇବା, ପାନ-ଗୁଟକା ବ୍ୟବହାର ମନା

କ୍ୟାପିଟାଲ ହସପିଟାଲରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।