ରାଜସ୍ଥାନରେ ଟିକା ନେଇ ନଥିବା ଲୋକଙ୍କ ଉପରେ ସରକାର ଲଗାଇବେ କଡା କଟକଣା, ଫେବୃଆରୀ ପହିଲାରୁ ଗୃହବନ୍ଦୀ କରାଯିବା ନେଇ ପ୍ରସ୍ତୁତି

88

କନକ ବ୍ୟୁରୋ : ସାରା ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି । ଏହି କ୍ରମରେ ରାଜସ୍ଥାନରେ ଏବେ କରୋନାର ପ୍ରକୋପ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏନେଇ ରାଜସ୍ଥାନ ସରକାର କରୋନା କଟକଣା କଡା କଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । କହିରଖୁ କି ଶନିବାର ଦିନ କେବଳ ଜୟପୁର ସହରରେ କରୋନାର ଡେଲ୍ଟା ଓ ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ୨୦୦ ଲୋକ ଚିହ୍ନଟ ହୋଇଛନ୍ତି ।

ଆଜି ରାଜସ୍ଥାନରେ ୫୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମଧ୍ୟରେ ଜୟପୁରରୁ ୩୮, ସରୋହୀ, ପ୍ରତାପଗଡ ଓ ବିକାନୋରରୁ ୩-୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଯୋଦ୍ଧପୁରରୁ ୨ ଜଣ, ସୀକର ଓ ଭିଲବାଡାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏତେ ମାତ୍ରାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି ଓ ଚିହ୍ନଟମାନଙ୍କୁ ଓମିକ୍ରନ ୱାର୍ଡରେ ଆଇସୋଲେଟ କରାଯାଇଛି । ଚିହ୍ନଟ ହୋଇଥିବା ୫୨ ଜଣଙ୍କ ମଧ୍ୟରୁ ୯ ଜଣ ବିଦେଶ ଫେରନ୍ତା ହୋଇଥିବା ବେଳ ୪ ଜଣ ବିଦେଶ ଫେରନ୍ତାଙ୍କ କଣ୍ଟାକ୍ଟରେ ଆସିଥିଲେ । ଅନ୍ୟ ୧୨ ଜଣ ପଡୋଶୀ ରାଜ୍ୟରୁ ଫେରିଥିଲେ । ଏହାକୁ ମି।।ଇ ରାଜସ୍ଥାନରେ ୧୨୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ଓ ସେମାନଙ୍କ ମଧ୍ୟରୁ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ ସମସ୍ତଙ୍କୁ ଟିକାର ଉଭୟ ଡୋଜ ଦେବା କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗେହଲଟ କହିଛନ୍ତି କି ଯେଉଁମାନେ ଜାନୁଆରୀ ଶେଷ ସୁଦ୍ଧା ଟିକା ନ ନେଉଛନ୍ତି ସେମାନଙ୍କୁ ଘରୁ ବାହାରକୁ ବାହାରିବା ଉପରେ ପ୍ରତିବନ୍ଧକ ଲଗାଯିବ ।