ଓକିଲଙ୍କ ବିନା କୋର୍ଟରେ କେମିତି ଲଢ଼ିବେ କେସ୍? ଜାଣନ୍ତୁ କଣ ରହିଛି ନିୟମ?

104

କନକ ବ୍ୟୁରୋ : କୋର୍ଟ କଚେରୀ ମାମଲା ଭାରି କଷ୍ଟଦାୟକ । ବିଚାର ପାଇଁ ଧାଇଁ ଧାଇଁ ଲୋକଙ୍କ ଚପଲ ଘୋରି ହୋଇଯାଏ । ଆଉ ଆଜିକାଲି କେସ ଲଢ଼ିବା ପାଇଁ ଓକିଲମାନେ ଯେଉଁଭଳି ଟଙ୍କା ନେଉଛନ୍ତି ତାହା ଦେବା ସମସ୍ତଙ୍କ ପକ୍ଷେ ସକ୍ଷମ ହୋଇନଥାଏ । ଯେଉଁଥି ପାଇଁ ଅନେକ ଲୋକ କେସ ନଲଢ଼ି ଭଗବାନଙ୍କ ଭରସାରେ ଛାଡ଼ି ଦେଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି, କୌଣସି ଓକିଲଙ୍କ ବିନା ସହାୟତାରେ ଆପଣ ଲଢ଼ି ପାରିବେ କେସ । ଏଭଳି ଏକ ମାମଲା ସାମନାକୁ ଆସିଛି । ସଫ୍ଟୱୟାର ଇଞ୍ଜିନିୟର ଆକାଶ ଦୁବେ ଇନ୍ଦୋରରେ ରୁହନ୍ତି । ସେ ତାଙ୍କ କ୍ରେଡିଟ୍ କାର୍ଡକୁ ବ୍ୟାଙ୍କ ଲକରରେ ରଖିଥିଲେ । ବ୍ୟାଙ୍କ ଲକରରେ ତାଙ୍କ କ୍ରେଡିଟ୍ କାର୍ଡ ଥିବା ବେଳେ କେହି ଏହାକୁ ଜାଲିଆତି କରି ସମାନ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିଲେ । ଏହି ସମସ୍ତ କାରବାର ସମୟରେ ଲଣ୍ଡନରେ ହୋଇଥିଲା । ଏହାପରେ ସେ ସଂପୃକ୍ତ ବ୍ୟାଙ୍କ ନାମରେ ଅଭିଯୋଗ କରିଥିଲେ । ଯେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ସେ କନଜ୍ୟୁମର କୋର୍ଟରେ ପହଚିଂଥିଲେ । ସେଠାରେ ସେ ନିଜେ ୩ ବର୍ଷ ଧରି ଘରୋଇ ବ୍ୟାଙ୍କ ବିରୋଧରେ ଲଢ଼ିଥିଲେ । କନଜ୍ୟୁମର ଫୋରମ ଆକାଶ ଦୁବେଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଯେକୌଣସି ମାମଲା ପଞ୍ଜିକୃତ ହେବା ପରେ ତୁରନ୍ତ ଓକିଲଙ୍କ ସାହାଯ୍ୟ ନିଆଯାଏ । ଆଇନଜୀବୀମାନେ ଏତେ ଟଙ୍କା ମାଗିଥାନ୍ତି କି ମନରେ ପ୍ରଶ୍ନ ଆସିଥାଏ କି, ମୁଁ ମୋ କେସ ନିଜେ ଲଢ଼ିବି । ଏଣୁ ଆଇନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ଜଣେ ଆଇନଜୀବୀଙ୍କ ବିନା କେସ ଲଢ଼ି ହେବ । ସମ୍ବିଧାନର ଧାରା ୩୨ ଆଡଭୋକେଟ ଆକ୍ଟ ୧୯୬୧ ମୁତାବିକ ଯଦି କୌଣସି ନାଗରିକ କିଛି ମାମଲାରେ ଫସିଥାନ୍ତି ସେ ନିଜେ ମାମଲା ନିଜେ ଲଢ଼ିପାରିବେ । ଏଥିପାଇଁ ଆପଣଙ୍କୁ ବିଚାରପତିଙ୍କଠାରୁ ଅନୁମତି ନେବା ଆବଶ୍ୟକ । ଅନୁମତି ନେବା ପରେ ନିଜ କ୍ଷେତ୍ରରେ ଓକିଲାତି କରିପାରିବେ । ତୁମ ମାମଲା ବୁଝିବା ପାଇଁ ବିଚାରପତିଙ୍କଠାରୁ ସମୟ ନେଇପାରିବେ । ବେଳେବେଳେ ବିଚାରପତି ପଚାରିଥାନ୍ତି କି, ଓକିଲ ନନେବା ପଛର କାରଣ କଣ । ଆପଣଙ୍କ ପକ୍ଷ ରଖିବା ପାଇଁ ଓକିଲ ନରଖିବାର କାରଣ କହିପାରିବେ ।

ଆରମ୍ଭରେ ଆପଣ ଯେତେବେଳେ କେସ ଲଢ଼ିବେ ସେତେବେଳେ ନିଜ ପଇସା ଦେବାକୁ ପଡ଼ିବ । କ୍ଷତିପୂରଣ ବାବଦରେ ଆପଣ ପରବର୍ତୀ ସମୟରେ ସେହି ଟଙ୍କା କମ୍ପାନୀଠାରୁ ଦାବି କରିପାରିବେ । କେସ ଲଢ଼ିବା ପାଇଁ କୌଣସି ଆଇନଗତ ଯୋଗ୍ୟତା ଆବଶ୍ୟକ ନାହିଁ । ଗ୍ରାହାକ କେବଳ କୋର୍ଟରେ ମାମଲା ସହ ଜଡିତ ପ୍ରମାଣପତ୍ର ଦେଇ କେସ ଲଢ଼ିପାରିବେ । ତେବେ କୋର୍ଟରେ ନିଜ ମାମଲା ସହ ଆପଣ ଅନ୍ୟ କାହା କେସ ଲଢ଼ିପାରିବେ ନାହିଁ । ପାୱାର ଅଫ ଆଟର୍ଣ୍ଣି ଅନୁଯାୟୀ ଜଣେ ବ୍ୟକ୍ତି ବ୍ୟକ୍ତିଗତ ମାମଲାକୁ ଯୁକ୍ତି କରିପାରିବେ । ସବୁଠାରୁ ବଡ଼ କଥା ହେଉଛି କି, ଆଇନ ସମ୍ପର୍କରେ ଜାଣିବା ଆବଶ୍ୟକ । ଯାହାଫଳରେ ଆପଣ କେସ ଜିତିବାରେ ସହଜ ହେବ । ଜାଣନ୍ତୁ କଣ ଜାଣିବା ଦରକାର ।

ହିନ୍ଦୀ ଏବଂ ଇଂରାଜୀ ଭାଷା ଭଲଭାବେ ଜାଣିବା ଉଚିତ

କୋର୍ଟରେ ଚାଲିଥିବା ପ୍ରକ୍ରିୟାର ସମସ୍ତ ପଦକ୍ଷେପ ସମ୍ପର୍କରେ ବୁଝିବା ପରେ କେସ ଲଢ଼ିବାକୁ ଅନୁମତି ନିଅନ୍ତୁ

ସର୍ବପ୍ରଥମେ ଯେଉଁ ବିଭାଗ ଅଧୀନରେ ଆପଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେ ସମ୍ପର୍କରେ ସୂଚନା ପାଆନ୍ତୁ

ଅଦାଲତ ପ୍ରକ୍ରିୟାରେ କୌଣସି ମିଛ କିମ୍ବା ଅଶ୍ଳିଳତା କରନ୍ତୁ ନାହିଁ

ଦେଶରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କ ପାଖରେ ଟଙ୍କା ନଥିବାରୁ କେସ ଲଢ଼ିପାରୁନାହାନ୍ତି । ଶିକ୍ଷାଗତ ଯୋଗ୍ୟତା ଏବଂ ଅଜାଣତ ପାଇଁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ।