ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ପରେ କଂଗ୍ରେସର ରଣହୁଙ୍କାର । ଏହା ବିରୋଧରେ ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ କରିବ ସତ୍ୟାଗ୍ରହ

158

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ଯିବା ପରେ ରଣହୁଙ୍କାର ଦେଇଛି କଂଗ୍ରେସ । ଏହାକୁ ବିରୋଧ କରି ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ଆନ୍ଧ୍ରପ୍ରଦେଶ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସବୁ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ସକାଳ ୧୦ଟାରୁ ଅପରାହ୍ଣ ୫ ଟା ଯାଏ ଏହି ସତ୍ୟାଗ୍ରହ ଜାରି ରହିିବ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ରାଜଧାନୀ ଦିଲ୍ଲୀର ରାଜଘାଟରେ ସତ୍ୟାଗ୍ରହ କରିବ । ମୋଦୀ ସରନେମକୁ ନେଇ ଦେଇଥିବା ବୟାନ ଯୋଗୁ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଲୋକସଭା ପଦ ରଦ୍ଦ ହୋଇଛି ।

ଗତକାଲି ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି, ଲୋକସଭା ସଦସ୍ୟତା ରଦ୍ଦ ପଛରେ ରହିଛି ଷଡଯନ୍ତ୍ର । ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ଗଣତନ୍ତ୍ର ପାଇଁ ସେ ଲଢେଇ କରୁଛନ୍ତି ଏବଂ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । କେହି ଧମକାଇ ତାଙ୍କୁ ଚୁପ୍ କରିପାରିବେ ନାହିଁ ବୋଲି ରାହୁଲ କହିଛନ୍ତି । ସେହିପରି ଆଦାନୀଙ୍କ ସହ ମୋଦିଙ୍କ କ’ଣ ସମ୍ପର୍କ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏପଟେ ରାହୁଲଙ୍କ ଆକ୍ରମଣର ଜବାବ୍ ରଖିଛନ୍ତିି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି- ରାହୁଲ ଗାନ୍ଧୀ ଜଣେ ଅଭ୍ୟାସଗତ ମିଛୁଆ ।