ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ, ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି

321

କନକ ବ୍ୟୁରୋ : କଂଗ୍ରେସ ପକ୍ଷରୁ ନବରଙ୍ଗପୁର ବନ୍ଦ ଡ଼ାକରା । ଗତ ୧୪ ତାରିଖରେ ନାବାଳିକା ଗଣଦୁଷ୍କର୍ମ ହତ୍ୟା ଅଭିଯୋଗ ଘଟଣାରେ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ । ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ରାସ୍ତା ବନ୍ଦ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ଦକୁ ସମର୍ଥନ କରି ଦୋକାନ ବଜାରରେ ମଧ୍ୟ ତାଲା ପଡ଼ିଛି ।

ରାସ୍ତାର ଉଭୟ ପାଶ୍ୱରେ ଅଟକି ରହିଛି ଗାଡ଼ି । ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି । କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ । ବିଳମ୍ବିତ ନ୍ୟାୟ ପ୍ରକୃତ ନ୍ୟାୟ ନଥିବା ବେଳେ ତଦନ୍ତ ଆଳରେ କିଛି ଯୁବକଙ୍କୁ ଥାନାରେ ଅଟକ ରଖି ପୁଣି ଛାଡ଼ି ଦେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଅଭିଯୁକ୍ତ ନିକଟରେ ପହଂଚିବାରେ ସଫଳ ହୋଇନି ପୋଲିସ । ପୋଲିସ ଜାଣିଶୁଣି ନୀରବତା ଅବଲମ୍ବନ କରୁଥିବା କହିଛି କଂଗ୍ରେସ । ଘଟଣାରେ ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛି କଂଗ୍ରେସ ।