କାମ ଦେଲା କଂଗ୍ରେସର ଆନ୍ଦୋଳନ ! ଜିଲ୍ଲାପାଳଙ୍କ ଅଫିସ ଆଗରୁ ଖୋଲାଯାଇଥିବା ଅସ୍ଥାୟୀ ମଣ୍ଡିରୁ ଧାନ ଉଠାଇଲେ ମିଲର

ଅଭାବୀ ବିକ୍ରୀ ନେଇ ଚାଲିଥିଲା ଧାରଣା, ୧୫ ସୁଦ୍ଧା ସମାଧାନ ପାଇଁ ପ୍ରତିଶ୍ରୃତି

116

କନକ ବ୍ୟୁରୋ : ଶେଷରେ କଂଗ୍ରେସ ଦଳ ଜିଦ ଆଗରେ ମୁଣ୍ଡ ନୁଆଇଲା ଯୋଗାଣ ବିଭାଗ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଖୋଲା ଯାଇ ଥିବା ଅସ୍ଥାୟୀ ମଣ୍ଡିରୁ ଧାନ ଉଠାଇଲେ ମିଲର । ମାଲକାନଗିରି ଜିଲ୍ଲାରେ ଧାନର ଅଭାବି ବିକ୍ରୀ କୁ ନେଇ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନେତୃତ ରେ ହଜାର ହଜାର ବସ୍ତା ଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରତିବାଦ କରିଥିଲେ । ତୁରନ୍ତ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ଉଠାଇବା ଲାଗି ଦାବୀ କରି ଥିଲା କଂଗ୍ରେସ ଦଳ ।

ଗତକାଲି ଦିନ ତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅବରୋଧ ହବା ସହ ଜିଲ୍ଲାପାଳଙ୍କ ସାପ୍ତାହିକ ଅଭିଯୋଗ ଶୁଣାଣି ମଧ୍ୟ ବାତିଲ ହୋଇ ଥିଲା । ତେଣୁ ତରବରିଆ ଭାବେ ଜିଲ୍ଲାର ଅଧିକାଂଶ ମଣ୍ଡିରୁ ଧାନ ଉଠିବା ଆରମ୍ଭ ହୋଇ ଥିଲା । ଏଥିସହ ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ଥିବା ଧାନ ଗୁଡିକ ମଧ୍ୟ ମିଲର ମାନେ ଉଠେଇ ନେଇଥିଲେ । ଆଗାମି ୧୫ ତାରିଖ ସୁଧା ଜିଲ୍ଲାର ସମସ୍ତ ମଣ୍ଡି ରୁ ଧାନ ଉଠିବା ନେଇ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶୃତି ପାଇ ଆନ୍ଦୋଳନ କୁ ସ୍ଥଗିତ ରଖିଛି କଂଗ୍ରେସ ଦଳ । ୧୫ ତାରିଖ ସୁଧା ଧାନ ନ ଉଠିଲେ ୧୬ ତାରିଖରୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି ପୁର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ।