ଦ୍ୱିତୀୟ ଦିନରେ ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ, କଂଗ୍ରେସର ବିରୋଧ ପ୍ରଦର୍ଶନ ଜାରି

109

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପୁଣି ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨ ଘଂଟାରୁ ଅଧିକ ସମୟ ଧରି ଇଡି କାର୍ଯ୍ୟାଳୟରେ ତାଙ୍କର ଜେରା ଚାଲିଛି । ଏହା ପୂର୍ବରୁ ସୋମବାର ଦିନ ଇଡି ରାହୁଲ ଗାନ୍ଧୀଙ୍କୁ ୧୦ ଘଂଟା ଧରି ଜେରା କରିଥିଲେ । ସେପଟେ ଇଡିର ଏଭଳି ନୋଟିସକୁ ବିରୋଧ କରି ଗତକାଲି ଭଳି ଆଜି ବି କଂଗ୍ରେସ ତରଫରୁ ବିରୋଧ ଜାରି ରହିଛି । ଏହି କ୍ରମରେ ୧୦୦ ରୁ ଅଧିକ କଂଗ୍ରେସ ନେତାଙ୍କୁ ପୋଲିସ ଗିରଫ କରି ହେପାଜତକୁ ନେଇଛି । ଏମାନେ ସମସ୍ତେ ରାହୁଲ ଗାନ୍ଧୀଙ୍କ ସହ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାର୍ଚ୍ଚ କରିଥିଲେ ।

କଂଗ୍ରେସ କାର୍ଯ୍ୟାଳୟ ଓ ଇଡି କାର୍ଯ୍ୟାଳୟ ଚାରିପଟେ ପୋଲିସ ୧୪୪ ଧାରା ଜାରି କରିଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ସମେତ ଅର୍ଦ୍ଧସାମରିକ ବଳ ନିୟୋଜିତ ଅଛନ୍ତି । ସେପଟେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜୱାଲା ଏହି ମାମଲାକୁ ରାଜନୈତିକ ଅଭିସନ୍ଧି କହି ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ବିଜେପି ନେତା ହେମନ୍ତ ବିଶ୍ୱଶର୍ମା ଓ ୟେଦିରୂପାଙ୍କୁ କାହିଁକି ନୋଟିସ କରୁନାହିଁ ?
ସୁରଜୱାଲା କହିଛନ୍ତି କି ବିଜେପି ଇଡି ସହାୟତାରେ ରାହୁଲ ଗାନ୍ଧୀଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଭାରତ ଭିତରକୁ ଚୀନର ଅନୁପ୍ରବେଶ, ବଢୁଥିବା ମହଙ୍ଗାଦର ଓ ନିଯୁକ୍ତି ନେଇ ସବୁବେଳେ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରୁଥିବାରୁ ବିଜେପି ତାଙ୍କ ମୁହଁ ବନ୍ଦ କରିବାକୁ ଏଭଳି ଭାବେ ଯାଂଚ ଏଜେନ୍ସିକୁ ଲଗାଇ ଦେଇଛି ।