ଅନୁଗୁଳରେ ବୋରୱେଲରେ ଅଢେଇ ବର୍ଷର ଝିଅ ଖସିପଡିବା ଘଟଣା । ସରକାରୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିଲେ ଜିଲ୍ଲାପାଳ ।
କନକ ବ୍ୟୁରୋ : ଅନୁଗୁଳରେ ଅଢେଇ ବର୍ଷର ଶିଶୁକନ୍ୟା ବୋଲୱେଲକୁ ଖସିପଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିଶ । କଳା ତାଲିକାଭୁକ୍ତ ହେବ ବୋରୱେଲ ଖୋଳିଥିବା ଠିକା ସଂସ୍ଥା । ସେହିପରି ଉଠା ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପରିଶ କରିଛନ୍ତି ଜିଲ୍ଲାପାଳ । କାର୍ଯ୍ୟକ୍ଷମ ହୋଇନଥିଲେ ମଧ୍ୟ ବୋରୱେଲଟିକୁ କାହିଁକି ପୋତା ଯାଇନଥିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୫ ତାରିଖ ଦିନ ରାଧା ଖସିପଡିଥିବା ବୋରୱେଲ ନିକଟରେ ପ୍ରାୟ ୧୭ ଫୁଟର ଗାତ ଖୋଳାଯାଇ ଏକ ସୁଡଙ୍ଗ କରାଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀ ରାଧାକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ଏବଂ ଓଡ୍ରାଫ ଟିମର ସାହସିକ କାମକୁ ଚାରିଆଡେ ପ୍ରଶଂସା କରାଯାଇଛି । କାରଣ ସେମାନଙ୍କ ଉଦ୍ୟମରେ ଜଣେ ୩ ବର୍ଷର ଶିଶୁ ନୂଆ ଜୀବନ ଫେରିପାଇଛି । ୧୧ ବର୍ଷ ତଳେ ହରିଆଣାରେ ୪ ବର୍ଷର ଶିଶୁ ପ୍ରିନ୍ସ ୫୦ ଫୁଟ ଗଭୀର ବୋରୱେଲ ଗାତରେ ଖସିପଡିଥିଲା । ପ୍ରିନ୍ସକୁ ସେତେବେଳେ ସଫଳତାର ସହ ଉଦ୍ଧାର କରାଯାଇଥିଲା । ଠିକ୍ ସେହି ଘଟଣା ପରି ଆଜି ଅନୁଗୁଳର ଗୋଳସାର ଗାଁରେ ୩ ବର୍ଷର ଶିଶକନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଛି ।
ଅନୁଗୁଳ ଜିଲ୍ଲା କିଶୋରନଗର ଗୋଳାସର ଗାଁରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ବୋରୱେଲର ଗାତ ଭିତରେ ଲଟକି ରହିଥିଲା କୁନି ଜୀବନ । ଚାରିଆଡେ ହଇଚଇ ଖେଳିଗଲା । ମାତ୍ର ୮ ଇଂଚ ଗୋଲେଇର ଗଭୀର ଗାତ ଭିତରେ କୁନି ଜୀବନଟି ବଂଚି ରହିଥିଲା । କାନ୍ଦୁଥିବାର ଶବ୍ଦ ସମସ୍ତଙ୍କୁ ଆଶ୍ୱସ୍ତ କରୁଥାଏ ଯେ, ୩ ବର୍ଷର ଶିଶୁକନ୍ୟା ରାଧା ବଂଚିଛି । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଗଲା । ପ୍ରାୟ ଦେଢଘଂଟା ପରେ ଘଟଣାସ୍ଥଳରେ ପହଁଚିଗଲେ ଅଗ୍ନିଶମ ବିଭାଗ । ଓଡ୍ରାଫ ଟିମ ମଧ୍ୟ ଘଟଣାସ୍ଥଳରେ ପହଁଚିଗଲେ । ଆଉ ଆରମ୍ଭ ହେଲା ରାଧାର ରେସକ୍ୟୁ ଅପରେସନ।
ସକାଳ ପ୍ରାୟ ୧୦ଟା ସମୟରେ ଗାଁ ଦାଣ୍ଡରେ ରାଧା ଖେଳୁଥିବା ବେଳେ ବୁଝିପାରିନଥିଲା ଯେ ତାସହ ଏତେବଡ ଅଘଟଣ ଘଟିପାରେ । ଚଂଚଳ ମନରେ ତାର ବି ଧାରଣା ନଥାଏ, ପାଖରେ ଏକ ଅତିଗଭୀର ବୋରୱେଲର ଗାତ ରହିଛି । ହଠାତ ଗୋଡ ଖସିଗଲା ଓ ରାଧା ସିଧା ଯାଇ ୧୭ ଫୁଟ ତଳେ ଲାଖିଗଲା । ଭାଗ୍ୟ ଭଲ ଥିଲା ଯେ, ବୋରୱେଲର ଗାତ ଆହୁରି ଗଭୀର ଥିଲେ ମଧ୍ୟ ରାଧା, ଅଧାରେ ଲାଖିଯାଇଥିଲା । ରାଧାର ଶବ୍ଦ ଶୁଣି ଗାଁ ଲୋକେ ଦୈାଡି ଆସିବା ବେଳକୁ ରାଧା ଗାତ ଭିତରୁ ଚିତକାର କରୁଥିଲା ।
ଏହାର ପ୍ରାୟ ଦେଢ ଘଣ୍ଟା ପରେ ପହଞ୍ଚିଲା ଉଦ୍ଧାରକାରୀ ଦଳ । ଆରମ୍ଭ ହେଲା ଉଦ୍ଧାର କାର୍ୟ୍ୟ । ରାଧା ପଡିଯାଇଥିବା ବୋରୱେଲର ୬ ରୁ ୭ ଫୁଟ ଦୂରରେ ଆଉ ଏକ ଗାତ ଖୋଳାଗଲା । ୧୭ ଫୁଟ ଖୋଳିବା ପରେ ରାଧା ପଡିଥିବା ବୋରୱେଲ ଗାତକୁ ଏହି ଗାତ ସହ ଏକ ସୁଡଙ୍ଗ କରି ସଂଯୋଗ କରାଗଲା । ଅତି ସତର୍କତାର ସହ ଅଗ୍ନିଶମ କର୍ମଚାରୀମାନେ ଏହି କାମ କରୁଥାନ୍ତି । ଏପଟେ ରାଧାର କାନ୍ଦିବା ଶବ୍ଦ ନିରନ୍ତର ଶୁଣାଯାଉଥାଏ । କିଛି ସମୟ ପରେ ସୁଡଙ୍ଗ ସଂଯୋଗ ହୋଇଯିବା ପରେ ରାଧାକୁ ଜଣେ ଅଗ୍ନିଶମ କର୍ମଚାରୀ ହାତରେ ଟେକି ଆଣିଲେ । ଆଉ ଏହି କୁନି ଜୀବନଟି ବଂଚିଗଲା ।
ଅଗ୍ନିଶମ ଓ ଓଡ୍ରାଫ ଟିମ ଏହି ସାହସିକ କାମ କୁନି ରାଧାର ଜୀବନ ବଂଚାଇଦେଲା । ଯେଉଁ ସତର୍କତାର ସହ ସେମାନେ କାମ କଲେ ଏବଂ ୩ ବର୍ଷର ଶିଶୁକୁ ଏକ ନୂଆ ଜୀବନ ଦେଲେ ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଉଦ୍ଧାରକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଅଗ୍ନିଶମ ଡିଜି ମଧ୍ୟ ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ପ୍ରଶଂସା କରିଛନ୍ତି ।