ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ନବୀନ। ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ।

199

କନକ ବ୍ୟୁରୋ: ସମୟ- ଦିନ ୧୦ଟା ୫୯ । ସ୍ଥାନ-ବମ୍ବେ ଷ୍ଟକ ଏକ୍ସଚେଞ୍ଜ । ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅଫିସ ଯାଇ ଓପନିଂ ବେଲ ବଜାଇଛନ୍ତି । ବିଏସଇ ଅଫିସ ଯାଇ ନବୀନ ପଟ୍ଟନାୟକ ବିଏସଇ ଅଧ୍ୟକ୍ଷ ଏସ.ଏସ ମୁନ୍ଦ୍ରାଙ୍କୁ ଭେଟିଥିଲେ । ଏହାପରେ ଠିକ ୧୦ଟା ୫୯ରେ ଓପନିଂ ବେଲ ରିଂ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ । ମୁମ୍ବାଇର ଦଲାଲ ଷ୍ଟ୍ରିଟକୁ ମୁଖ୍ୟମନ୍ତ୍ରୀଙ୍କ ଏହା ଥିଲା ପ୍ରଥମ ଗସ୍ତ । ସାଧାରଣତଋ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୩ଟି ବେଲ୍ ବଜାଯାଇଥାଏ । ପ୍ରଥମ ବେଲ୍ ହେଉଛି

୧-ଓପନିଂ ବେଲ୍-
– ସକାଳ ୯ଟା ୧୫ରେ ଏହି ବେଲ୍ ବାଜିଥାଏ
-ଏହି ବେଲ୍ ବାଜିଲେ କାରବାର ଆରମ୍ଭ ହୁଏ
୨- ଲିଷ୍ଟିଂ ବେଲ୍
-କୌଣସି କମ୍ପାନୀର ସେୟାର ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେଲେ ଏହି ବେଲ ବାଜେ
-ଦିନ ୧୦ଟାରେ ଏହି ବେଲ୍ ବାଜିଥାଏ
ସଂପୃକ୍ତ କମ୍ପାନୀର କର୍ମକର୍ତ୍ତା କିମ୍ବା ପ୍ରମୋଟର ବେଲ୍ ବଜାଇଥାନ୍ତି
୩-ସମ୍ମାନସୂଚକ ବେଲ୍
-ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବେଲ୍ ବଜାଇଥାନ୍ତି
– ଏହି ସମୟ ୧୦ଟା କିମ୍ବା ୧୦ଟା ୫୯ ହୋଇପାରେ
-ସମୟ ନିର୍ଦ୍ଧାରଣ କରିଥାଏ ବମ୍ବେ ଷ୍ଟକ ଏକ୍ସଚେଞ୍ଜ

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଓଡିଶାର କୌଣସି ମୁଖ୍ୟମନ୍ତ୍ରୀ ଓପନିଂ ବେଲ ବଜାଇବାରେ ନବୀନ ହେଉଛନ୍ତି ପ୍ରଥମ । ଜାତୀୟସ୍ତରରେ ନବୀନଙ୍କ ପତିଆରା ବଢିଛି । ଆଉ ରାଜ୍ୟକୁ ଅଧିକରୁ ଅଧିକ ନିବେଶ ଆଣିବାକୁ ବାହାରେ ଇନଭେଷ୍ଟର୍ସ ସମ୍ମିଳନୀ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବୁଧବାରଦିନ ନିବେଶକ ସମ୍ମିଳନୀ ବେଳେ ନବୀନଙ୍କ ବାର୍ତାଳାପର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୁମ୍ବାଇରେ ନିବେଶକଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ୧୮ଟି ବୈଠକ ମୁଖ୍ୟମନ୍ତ୍ରୀ କରିଛନ୍ତି । କିନ୍ତୁ ଏସବୁ ଭିତରେ ଏକ ରୋଚକ ଭିଡିଓ ସାମ୍ନାକୁ ଆସିଛି । କ୍ୟାମେରା ଫ୍ରେମରେ ଅଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତ୍ତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁନାହାନ୍ତି କି । ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ କଷ୍ଟ ଅନୁଭବ ହୋଇନଥାଏ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ସଚିବଙ୍କ ଏହି ୨୫ ସେକେଣ୍ଡରେ ଭିଡିଓ ବାର୍ତାଳାପ ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।