ଦବଙ୍ଗ ଖାନକୁ ହତ୍ୟା କରିବାକୁ ମସୁଧା । ‘ପ୍ଲାନ୍ ବି’ର ଖୁଲାସା କଲା ପଞ୍ଜାବ ପୋଲିସ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ରଚିଥିଲା ଷଡଯନ୍ତ୍ର

110

କନକ ବ୍ୟୁରୋ : ପଞ୍ଜାବ ଗାୟକ ସିଦ୍ଧୁ ମୁଶେୱାଲା ହତ୍ୟା ଘଟଣାରେ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ । ଏବେ ସେ ଜେଲରେ । କିନ୍ତୁ ଏହି ହତ୍ୟା ଘଟଣା ପୂର୍ବରୁ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ସଲମାନ୍ ଖାନ୍ । ଯାହା ଏବେ ପୋଲିସ ଖୁଲାସା କରିଛି । ଏଥିପାଇଁ ଷଡଯନ୍ତ୍ର ରଚିଥିଲା ବିଷ୍ନୋଇ । ପୂର୍ବରୁ ଏକ ପ୍ଲାନ ଫେଲ୍ ମାରିଥିଲ।। ଆଉ ଏବେ ଦ୍ୱିତୀୟ ପ୍ଲାନ୍ ବା ପ୍ଲାନ୍ ବି ତିଆରି କରିଥିଲା ଏହି ଗ୍ୟାଙ୍ଗ୍ । ସଲମାନଙ୍କ ମୁମ୍ବାଇ ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଂଟ ଠାରୁ ଆରମ୍ଭ କରି ପନଭେଲ ଫାର୍ମ ହାଉସ ପର୍ଯ୍ୟନ୍ତ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ରର ଚେର ଲମ୍ବିଥିଲା । ଏହି ପ୍ଲାନର ନେତୃତ୍ୱ ନେଉଥିଲା ଗୋଲ୍ଡି ବରାଡ ଓ ଲରେଂସ ଗ୍ୟାଙ୍ଗର ସାର୍ପ ସୁଟର କପିଲ ପଣ୍ଡିତ । ଆଉ ସଲମାନଙ୍କ ଉପରେ ଟିକିନିକି ନଜର ରଖିବାକୁ କପିଲ ପଣ୍ଡିତଙ୍କ ସହ କିଛି ସାର୍ପ ସୁଟର ପନଭେଲ ଫାର୍ମ ନିକଟରେ ଭଡା ଘର ନେଇ ରହୁଥିଲେ । ଏହି ଭଡା ଘରେ ଅସ୍ତ୍ରଶସ୍ତ୍ର ସହ ବନ୍ଧୁକ ମଧ୍ୟ ରହିଥିଲା ।

ସଲମାନ ଖାନ୍ ଯେଉଁ ସ୍ଥାନକୁ ମଧ୍ୟ ଯାଆନ୍ତି ତାଙ୍କ ସହ ତାଙ୍କ ବର୍ଡିଗାର୍ଡ ଶେରା ଉପସ୍ଥିତ ରହିଥାନ୍ତି । ତେବେ ସଲମାନ ନିଜ ଫାର୍ମ ହାଉସକୁ ଯିବା ରାସ୍ତାରେ ପ୍ରାୟତଃ ତାଙ୍କ ଗାଡିର ବେଗ କମ୍ ରହିଥାଏ । ଘଂଟା ପ୍ରତି ୨୫ କିଲୋମିଟର ବେଗରେ ସଲମାନ ନିଜ ଗାଡିରେ ଯାଆନ୍ତି । ତେବେ ପନଭେଲ ଫାର୍ମହାଉସକୁ ସଂଯୋଗ କରୁଥିବା ରାସ୍ତାରେ ଖାଲଖମା ଥିବାରୁ ଏହାର ସୁଯୋଗ ଉଠାଇବା ପାଇଁ ଚାହିଁ ବସିଥିଲା ବିଷ୍ନୋଇ ଗ୍ୟାଙ୍ଗ । ଏମିତିକି ସଲମାନଙ୍କ ସୁରକ୍ଷାକର୍ମୀଙ୍କ ପାଖରେ ଫ୍ୟାନ ବୋଲି ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା ଗ୍ୟାଙ୍ଗଷ୍ଟାର । କିନ୍ତୁ ଏହି ପ୍ଲାନ୍ ଭଣ୍ଡୁର କରିଛି ପଂଜାବ ପୋଲିସ । କୃଷ୍ଣସାର ମୃଗ ମାରିବା ମାମଲାରେ ସଲମାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟକୁ ଆସିଥିଲେ । କାରଣ କୃଷ୍ଣସାର ହରିଣକୁ ଭଗବାନ ବୋଲି ମାନନ୍ତି ବିଷ୍ଣୋଇ ସମ୍ପ୍ରଦାୟ ।

ତେବେ ବିପଦ ଥିବା ଜାଣି ସଲମାନ ଏବେ ସତର୍କ । ନିକଟରେ ସେ ଏକ ବୁଲେଟ୍ ପ୍ରୁଫ କାର କିଣିଛନ୍ତି । ଏଥିସହ ଅସ୍ତ୍ରଶସ୍ତ୍ର ରଖିବାକୁ ଆଇନଗତ ଭାବେ ଅନୁମତି ଦେଇଛି ପୋଲିସ ।