ଗୁଗଲ କହୁଛି ମହାନଦୀ କାହାଣୀ: କଲମା ବ୍ୟାରେଜରେ ପାଣି ରୋକୁଛି ଛତିଶଗଡ 

91

କନକ ବ୍ୟୁରୋ: ଛତିଶଗଡ଼ ପଟ ମହାନଦୀରେ ପାଣି ଭର୍ତି, ଓଡ଼ିଶା ପଟ ଶୁଖିଲା । ଖରାଦିନ ଆରମ୍ଭରୁ ଏପରି ଦୃଶ୍ୟ ଚିନ୍ତା ବଢ଼ାଇ ଦେଇଛି । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପରେ ଓଡ଼ିଶାରେ ଶୁଖିଲା ପଡ଼ିଛି ନଦୀ ଶଯ୍ୟା ।

ସୋନପୁର ହେଉ କି ସମ୍ବଲପୁର, ମହାନଦୀରେ ପାଣିର ସ୍ଥିତି ଦୟନୀୟ, କେବଳ ସରୁ ଧାର ବହୁଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ଓଡ଼ିଶା ସବୁଠି ଦେଖିବାକୁ ମିଳୁଛି ଏକାଚିତ୍ର । ସେପଟେ ମହାନଦୀକୁ ନେଇ ନୂଆଚାଲ ଖେଳୁଛି ଛତିଶଗଡ଼ । ଛତିଶଗଡ଼ ସରକାର ପୁଣି ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି । ମହାନଦୀର ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ପାଇଁ ୫୭୧ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି ।

ପଶ୍ଚିମ ଓଡିଶାରୁ ଉପକୂଳ ଯାଏ ଅଧା ଓଡ଼ିଶାରେ ପ୍ରବାହିତ ହେଉଛି ମହାନଦୀ । (ଗୁଗୁଲ ଚିତ୍ର) ହୀରାକୁଦର ତଳମୁଣ୍ଡ, ସୋନପୁର, ନୟାଗଡ଼ର ବଡ଼ମୂଳ, କଟକର ନରାଜ ଠାରୁ ଆରମ୍ଭ କରି ପାରାଦୀପ ପର୍ଯ୍ୟନ୍ତ ମହାନଦୀ ଶୁଖିଲା ପଡିଛି । ଛତିଶଗଡ଼ରୁ ପ୍ରବାହିତ ମହାନଦୀ ଜଳ ହୀରାକୁଦ ଡ୍ୟାମରେ ଗଚ୍ଛିତ ହେଉଛି । କିନ୍ତୁ ପାଣି ଯେତିକି ଆସିବା କଥା ଆସୁନଥିବାରୁ ତଳମୁଣ୍ଡକୁ ଆବଶ୍ୟକ ମୁତାବକ ପାଣି ଛଡ଼ା ଯାଇ ପାରୁନାହିଁ । ଏପଟେ ଡ୍ୟାମର କ୍ଷମତା ଧିରେ ଧିରେ କମିଯାଉଥିବା ବିଶେଷଜ୍ଞ କହିଛନ୍ତି । ପ୍ରତିବର୍ଷ ପଟୁ ମାଟିରେ ଦଶମିକ ୪ ପ୍ରତିଶତ ପୋତି ହୋଇଚାଲିଛି ହୀରାକୁଦ ଡ୍ୟାମ । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି । ଯାହାର ପ୍ରଭାବ ପଡ଼ୁଛି ମହାନଦୀ ତଳମୁଣ୍ଡରେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଥିଲା ବିଜେଡି । ସେଭ୍ ମହାନଦୀ ନାରା ଦେଇ ନଦୀ କୂଳେ କୂଳେ ଦଳ ଆନ୍ଦୋଳନ କରିଥିଲା । କିନ୍ତୁ ନିର୍ବାଚନ ପରେ ଏହି ପ୍ରସଙ୍ଗକୁ ଭୁଲିଯାଇଛି ଶାସକ ଦଳ । ତକ୍ରାଳୀନ ଜଳସଂପଦ ସଚିବ ସୁରେଶ ମହାପାତ୍ର କହିଥିଲେ, ଛତିଶଗଡ଼ ଯେତେ ବ୍ୟାରେଜ ନିର୍ମାଣ କଲେ ବି ଓଡ଼ିଶା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ସଂଯୋଗ କ୍ରମେ ଆଜି ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ । ଛତିଶଗଡ଼ ପାଣି ଅଟକାଉଛି, ଯାହାର ପ୍ରଭାବ ପଡୁଛି ଓଡ଼ିଶା ଉପରେ । ସରକାର କୌଣସି ପଦକ୍ଷେପ ନେବା ପରିବର୍ତେ ଟ୍ରିବ୍ୟୁନାଲର ବାହାନା କରି ଚୁପ ବସିଛନ୍ତି ।