ଛତିଶଗଡ଼ ଦାନ୍ତେୱାଡାରେ ଲାଲତାଣ୍ଡବ । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୦ଡିଆରଜି ଯବାନ ସହିଦ,ଜଣେ ଡ୍ରାଇଭର ମୃତ

188

କନକ ବ୍ୟୁରୋ : ବୁଧବାର ଅପରାହ୍ନ ସମୟରେ ପୁଣି ଥରେ ନକ୍ସଲ ଆକ୍ରମଣରେ ଥରି ଉଠିଛି ଛତିଶଗଡର ଦାନ୍ତେୱାଡା । ନକ୍ସଲଙ୍କ ଆକ୍ରମଣରେ ୧୦ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏମାନଙ୍କୁ ନେଇ ଯାଉଥିବା ଗାଡିର ଡ୍ରାଇଭର ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଛତିଶଗଡ ଦାନ୍ତୱାଡାର ଅରନପୁରରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡଙ୍କୁ ନେଇ ଯାଉଥିବା ଗୋଟିଏ ଗାଡି ଉପରେ ଆକ୍ରମଣ ହୋଇଛି । ଆଇଇଡି ଲଗାଇ ଗାଡିକୁ ଉଡାଇ ଦେଇଛନ୍ତି ମାଓବାଦୀ । ଏଥିରେ ୧୦ଜଣ ଯବାନ ସହିଦ ହୋଇଛନ୍ତି । ଏଥିସହ ଗାଡିକୁ ଚଳାଉଥିବା ଜଣେ ବେସରକାରୀ ଡ୍ରାଇଭର ବି ପ୍ରାଣ ହରାଇଛନ୍ତି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଘେଲ କହିଛନ୍ତି, ଏହା ଏକ ଦୁଃଖଦାୟକ ଘଟଣା । ଏ ଘଟଣାର ପ୍ରତିଶୋଧ ନିଆଯିବ ଏବଂ ନକ୍ସଲଙ୍କୁ ନିପାତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ।

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ରାଜ୍ୟକୁ ଯଥା ସମ୍ଭବ ସାହାଯ୍ୟ ପାଇଁ ଗୃହମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ନକ୍ସଲ ଲୁଚି ରହିଥିବା ସୂଚନା ମିଳିବା ପରେ ବୁଧବାର ସକାଳୁ ନକ୍ସଲଙ୍କୁ ଧରିବା ପାଇଁ ଅପରେସନରେ ଯାଇଥିଲେ ଯବାନ ଓ ଫେରିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଆଉ ସେମାନଙ୍କ ଉପରକୁ ଆମ୍ବୁସ୍ କରି ଆକ୍ରମଣ କରିଥିଲେ ମାଓବାଦୀ । ଏହି ଘଟଣା ପରେ ଓଡିଶାର ୩ଟି ଜିଲ୍ଲା ହାଇ ଆଲର୍ଟ ଜାରି କରାଯାଇଛି ।

ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୧୦ ଡିଆରଜି ଯବାନ ହେଉଛନ୍ତି, ଯୋଗା ସୋଢୀ, ମୁନ୍ନା ରାମ କଡ଼ତୀ, ସନ୍ତୋଷ ତାମୋ, ଦୁଲ୍ଗୋ ମଣ୍ଡାଓି୍ୱ, ଲଖମୁ ମରକାମ, ଜୋଗା କୱାସୀ, ହରିରାମ ମଣ୍ଡାଓି୍ୱ, ରାଜୁ ରାମ କରଟମ୍, ଜୟରାମ ପୋଡ଼ିୟାମ୍ ଏବଂ ଜଗଦୀଶ କୱାସୀ । ଏମାନଙ୍କ ସହ ଜଣେ ଡ୍ରାଇଭର ଧନୀରାମ ଯାଦବ । ଘଟଣାସ୍ଥଳରେ ନକ୍ସଲଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।