ରାଜଧାନୀରେ ସକ୍ରିୟ ନକଲି ପୁଲିସ। ନକଲି ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍।

99

କନକ ବ୍ୟୁରୋ: ଜାତୀୟ ରାଜପଥରେ ଲୁଟେରା ଗ୍ୟାଙ୍ଗ । ଏମାନେ ଡରାଇ ଧମକାଇ ଲୋକଙ୍କ ଠାରୁ ଲୁଟ କରୁଥିଲ । ଜଣେ ନୁହେଁ କି ଦୁଇଜଣ ନୁହେଁ ଗ୍ୟାଙ୍ଗରେ ଥିଲେ ୭-୭ ଜଣ ଲୁଟେରା । ଏବେ ଏଭଳି ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୁଲିସ । ଏହି ଲୁଟେରା ଗ୍ୟାଙ୍ଗ ନକଲି ପୁଲିସ ସାଜି ଲୋକଙ୍କୁ ଡରାଇ ଧମକାଇ ମାଡ ମାରି ଟଙ୍କା ଲୁଟ କରୁଥିଲେ । ଏମାନଙ୍କ ପାଖରେ ଥିଲା ନକଲି ଜିନିଷ, ଦୁଇ ଦୁଇଟି ଦାମୀ କାର ଓ ଲକ୍ଷ ଲକ୍ଷ ଟଙ୍କା । କାରରେ ନକଲି ନାଲିବତୀ ଲଗାଇ ଆଉ ନକଲି ବନ୍ଧୁକ ଧରି ଲୁଟ କରୁଥିଲେ । ଏହି ସବୁ ସାମଗ୍ରୀ ସହ ମୋବାଇଲ, ନଗଦ ଟଙ୍କା ଜବତ ହୋଇଛି । ଦୁଇଟି ଆକାଉଣ୍ଟକୁ ବି ଫ୍ରିଜ କରାଯାଇଛି ।

ଦୀର୍ଘଦିନ ଧରି ଏହି ଲୁଟାରେ ଗ୍ୟାଙ୍ଗ ହାଇୱେରେ ସକ୍ରିୟ ଥିଲେ । କିନ୍ତୁ ପୁଲିସ ଏହାର ଟେର ପାଇପାରୁନଥିଲା । ତେବେ କୋରାପୁଟର ଏକ ତେଲ ଟ୍ୟାଙ୍କର ତେଲ ପାଇଁ ପାରାଦୀପ ଯାଉଥିବାବେଳେ ଜଟଣୀ ନିକଟରେ ଅଟକାଇଥିଲେ ଲୁଟେରା ଗ୍ୟାଙ୍ଗ । ଗାଡିରେ ନକଲି ନାଲିବତୀ, ହାତରେ ନକଲି ବନ୍ଧୁକ ଧରିଥିଲେ ଲୁଟେରା । ଟ୍ୟାଙ୍କର, ଡ୍ରାଇଭର ଓ ହେଲପରଙ୍କୁ ଅପହରଣ କରି ଜଙ୍ଗଲକୁ ନେଇଯାଇଥିଲେ । ଗାଡିରେ ଗଂଜେଇ ଚାଲାଣ ଅଭିଯୋଗରେ ୪ ଲକ୍ଷ ବଟି ମାଗିଥିଲେ । ଭୟରେ ଗାଡି ମାଲିକ ୪ ଲକ୍ଷ ଟଙ୍କା ଡ୍ରାଇଭର ଓ ହେଲପର ଆକାଉଣ୍ଟକୁ ପଠାଇଥିଲେ । ବିଳମ୍ବିତ ରାତି ଯାଏଁ ଉଭୟଙ୍କୁ ଛାଡିନଥିଲେ ଲୁଟେରା । କୌଶଳକ୍ରମେ ଡ୍ରାଇଭର ଖସିଯାଇ ଲୋକଙ୍କ ସହାୟତାରେ ପୁଲିସକୁ ଖବର ଦେଇଥିଲେ ।

ଏବେ ଧରାପଡିଥିବା ଲୁଟେରା ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ଲୁଟେରାଙ୍କ ନାଁରେ ସଙ୍ଗୀନ ଦଫା ଲାଗିଛି । ଏଭଳି ନକଲି ପୁଲିସଙ୍କଠାରୁ ଲୁଟର ଶିକାର ହୋଇଥିଲେ ନିକଟସ୍ଥ ଥାନାରେ ତୁରନ୍ତ ଅଭିଯୋଗ କରିବାକୁ କୁହାଯାଇଛି ।