ପୂରା ବିଶ୍ୱ ଦେଖିବ ଚାରୁ ମା’ଙ୍କ କାହାଣୀ ! ଗୁଣ୍ଡଳବା ଗାଁର ମହିଳାଙ୍କ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ ହେଲା ମ୍ୟୁଜିକ ଭିଡ଼ିଓ

119

କନକ ବ୍ୟୁରୋ : କୁହାଯାଏ ଯେଉଁ କାମରେ ଜଣେ ମହିଳାଙ୍କ ହାତ ଥାଏ, ସେହି କାମ ଦିନେ ନା ଦିନେ ସଫଳ ହୁଏ । ୧୯୯୯ ମହାବାତ୍ୟାରେ ଛାରଖାର ହୋଇଯାଇଥିବା ଅସ୍ତରଙ୍ଗ ଗୁଣ୍ଡଳବା ଗାଁକୁ ପୁଣି ଥରେ ଗଢି ତୋଳିଥିଲେ ସେହି ଗାଁର ମହିଳା । ଆଉ ସେମାନଙ୍କର ସଂଘର୍ଷକୁ ନେଇ ପ୍ରସ୍ତୁତ କରାଯାଇଛି ଏକ ହିନ୍ଦୀ ମ୍ୟୁଜିକ ଭିଡିଓ । ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଭିଡିଓର ଗୀତକୁ କମ୍ପୋଜ କରିଛନ୍ତି ବଲିଉଡର ପ୍ରଖ୍ୟାତ ମ୍ୟୁଜିକ କମ୍ପୋଜର ସଂଜୟ ଦାଜ୍ ଏବଂ ଅମ୍ବର ଦାସ୍ । ଯାହା ସମସ୍ତଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି ।

୧୯୯୯ ମସିହା, ଅକ୍ଟୋବର ୨୯ ତାରିଖ । ସାରା ଓଡିଶାକୁ ଖିନଭିନ କରିଦେଇଥିଲା ମହାବାତ୍ୟା, ପ୍ରକୃତିର କରାଳ ତାଣ୍ଡବ । ଉପକୂଳ ଓଡିଶା ପାଇଁ ଏହି ଦିନକୁ ଭୁଲିବା ତ ସମ୍ଭବ ନୁହେଁ, କେହି ବି ମନେ ପକାଇବାକୁ ଚାହିଁବେନି । ୧୫୦ କିଲୋମିଟରରୁ ଅଧିକ ବେଗରେ ପବନ ସହ ୧୦ଫୁଟରୁ ଅଧିକ ଉଚ୍ଚର ସମୁଦ୍ର ଜୁଆରର ଆଁ ଭିତରେ ଗିଳି ହୋଇ ଯାଇଥିଲା ଅନେକ ଗାଁ । ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳ । କୁଢ କୁଢ ଶବ ଭିତରେ ଆତ୍ମୀୟ ସ୍ୱଜନଙ୍କୁ ଚିହ୍ନିବା ବି ହୋଇପଡିଥିଲା ମୁସ୍କିଲ ।

ହେଲେ ମହାବାତ୍ୟା ପରେ ଧୈର୍ଯ୍ୟହରା ହୋଇନଥିଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅନ୍ତର୍ଗତ ଗୁଣ୍ଡଳବା ଗାଁର ଲୋକେ । ନିଜ ଗାଁକୁ କିପରି ଫେରିପାଇବେ ସେନେଇ ଏକଜୁଟ ହୋଇଥିଲେ ଗାଁର ମହିଳାମାନେ ଏବଂ ଏହାର ନେତୃତ୍ୱ ନେଇଥିଲେ ଚାରୁଲତା ବିଶ୍ୱାଳ ଓରଫ ଚାରୁ ମାଁ । ଏହି ମହିଳାମାନଙ୍କର ସଂଘର୍ଷର କାହାଣୀକୁ ନେଇ ତିଆରି ହୋଇଛି ଏକ ମ୍ୟୁଜିକ୍ ଭିଡିଓ ହୋସଲା ନା ରୁଠେ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଡକ୍ୟୁମେଂଟରୀ ଡିରେକ୍ଟର ସ୍ନେହାଶିଷ୍ ଦାସ ।

ଡିରେକ୍ଟର ସ୍ନେହାଶିଷ୍ ଦାସଙ୍କ ଏହି ମ୍ୟୁଜିକାଲ ଭିଡିଓରେ ଗାଁର ମହିଳାଙ୍କ ସଂଘର୍ଷର କାହାଣୀ ଦେଖିବାକୁ ମିଳିବ । ଚାରୁ ମାଁଙ୍କ ଭୂମିକାରେ ବଲିଉଡର ଭେଟେରାନ ଅଭିନେତ୍ରୀ ଇଲା ଅରୁଣ ଅଭିନୟ କରିଥିବା ବେଳେ ଓଡିଶାର ଏଭଳି ଏକ କାହାଣୀ ସମସ୍ତଙ୍କ ପାଇଁ ଉଦାହରଣ ବୋଲି ସେ କହିଛନ୍ତି । ତାଙ୍କ ସହିତ ଓଡିଆ ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ ଏବଂ ଲିପ୍ସା ମିଶ୍ର ମଧ୍ୟ ଏହି କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ନିଜ ରାଜ୍ୟର ଏମିତି ଏକ କାହାଣୀକୁ ଅନ୍ତର୍ଜାତୀୟ ସ୍ତରରେ ପହଂଚାଇବା ଲକ୍ଷ୍ୟ ରଖିଥିବା କହିଛନ୍ତି ଏହି ଗୀତକୁ ଗାଇଥିବା ପ୍ରବାସୀ ଓଡିଆ କୋଣାର୍କ ସରଙ୍ଗୀ ।

ନିଜର ଦୃଢ ଇଚ୍ଛାଶକ୍ତି, ଆଉ ଅଦମ୍ୟ ସାହାସ ଯୋଗୁଁ ନିଜ ଗାଁକୁ ଫେରି ପାଇଛନ୍ତି ଗୁଣ୍ଡଳବା ଗ୍ରାମବାସୀ । ଏହି କାହାଣୀକୁ ଗୀତ ମାଧ୍ୟମରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଂଚାଇ ସମାଜକୁ ଏକ ବାର୍ତା ଦେବାକୁ ପ୍ରୟାସ କରିଛନ୍ତି ଦ ନେକେଡ ଆଇ ଟିମ୍ ।