ବରଗଡ଼ ପରେ ଏବେ ସୁନ୍ଦରଗଡ଼ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ! ହଜାର ହଜାର ଏକର ଜମିରେ ଚାଷ ଯାଇଛି ଉଜୁଡି

29

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଚକଡ଼ା ଚଡ଼କ । ବରଗଡ଼ରେ ଚକଡ଼ା ଚାଂଚଲ୍ୟରେ ସାରା ରାଜ୍ୟ ହତବାକ୍ ହୋଇ ଯାଇଥିବା ବେଳେ ସୁନ୍ଦରଗଡ଼ ଚାଷୀ, ଧାନ କ୍ଷେତକୁ ଦୁଃଖଭରା ଆଖିରେ ଚାହିଁରହିଛି । ଏବର୍ଷ ସୁନ୍ଦରଗଡ ଜିଲ୍ଲା଼ରେ ଭଲ ଧାନ ହୋଇଥିଲା, ଚାଷୀ ଆଶା କରିଥିଲା ଭଲ ଅମଳ କରିବ । ହେଲେ ଶେଷ ମୁହୁର୍ତରେ ଧାନକୁ ଚଷୁ କରିଦେଇଛି ଚକଡ଼ା । ଧାନ କେଣ୍ଡାରୁ ଧାନ ଆଣି ହାତରେ ମଳିଦେଲେ ସବୁ ଗୁଣ୍ଡ ହୋଇଯାଉଛି । ଏହା ସହ ମାସ ମାସ ଧରି ଫସଲକୁ ନେଇ ଚାଷୀ ଯେଉଁ ସ୍ୱପ୍ନ ଦେଖୁଥିଲା, ତାହା ଚୁରମାର ହୋଇଯାଇଛି ।

ଜିଲ୍ଲାର ବିଭିନ୍ନ ଅଂଚଳରେ ଚକଡ଼ାର ପ୍ରାଦୁର୍ଭାବ ଦେଖା ଯାଇଥିବା ବେଳେ ବାଲିଶଙ୍କରା ବ୍ଳକର ଖମପୁର ଅଂଚଳର ସ୍ଥିତି ଗମ୍ଭୀର । ହଜାର ହଜାର ଏକର ଜମିରେ ଚକଡ଼ା ଖାଇଦେଇଛି ଚାଷକୁ । ବାରମ୍ବାର କୀଟନାଶକ ପକାଇ ହତାଶ ହେବା ପରେ ବ୍ଲକ ଓ ଜିଲ୍ଲା କୃଷି କାର୍ଯ୍ୟାଳୟ ଯାଇ ଚାଷୀ ଦୁଃଖ ଜଣାଇଛି । ହେଲେ ସେମାନଙ୍କ ସମସ୍ୟା ପ୍ରତି ଆଡ ଆଖିରେ ବି ଚାହାନ୍ତି କୃଷି ଅଧିକାରୀ । ଏହିଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଚାଷୀ ।

ଫସଲ ନଷ୍ଟ ହେବା ପରେ ଏବେ କିପରି ପରିବାର ପ୍ରତିପୋଷଣ କରିବ, କିପରି ଋଣ ବୋଝରୁ ମୁକ୍ତ ହେବ, ଏହି ଚିନ୍ତା ଘାରିଛି ଚାଷୀକୁଳକୁ ।