ପଲିଟିକ୍ସରେ ପେଟ୍ରୋଲ ପମ୍ପ ? କର୍ମଚାରୀଙ୍କ ତଥ୍ୟ ଜରିଆରେ ଭୋଟ ହାତେଇବାକୁ ହେଉଛି କି ଉଦ୍ୟମ

25

କନକ ବ୍ୟୁରୋ : ଦେଶର ସବୁ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀଙ୍କ ତଥ୍ୟ ମାଗିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । ପେଟ୍ରୋଲ ପମ୍ପରେ କେତେ ସଂଖ୍ୟକ କର୍ମଚାରୀ କାମ କରୁଛନ୍ତି ଏବଂ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ମାଲିକମାନଙ୍କୁ ମଗାଯାଇଛି । ବିଜେଡି ଏବଂ କଂଗ୍ରେସ ଏହାକୁ ଭୋଟ ବ୍ୟାଙ୍କ ପଲିଟିକ୍ସ କହୁଥିବା ବେଳେ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପେଟ୍ରୋଲିୟମ ବିଭାଗର ଚିଠିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ୧୦ ଲକ୍ଷ ପେଟ୍ରୋଲ ପମ୍ପର ମାଲିକଙ୍କୁ ତଥ୍ୟ ମାଗିଲା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । କେଉଁ ପେଟ୍ରାଲ ପମ୍ପରେ କେତେ ସଂଖ୍ୟକ କର୍ମଚାରୀ କାମ କରୁଛନ୍ତି ତାର ସବିଶେଷ ତଥ୍ୟ ଦେବା ପାଇଁ କୁହାଯାଇଛି । ଏଥି ସହିତ କର୍ମଚାରଙ୍କର ନାଁ, ଠିକଣା, ଧର୍ମ, ଜାତି , ମୋବାଇଲ ନମ୍ବର, ଆଧାର ନମ୍ବର, ପ୍ୟାନ ନମ୍ବର ଓ କେଉଁ ନିର୍ବାଚନ ମଣ୍ଡଳୀ, ସେ ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିଜେଡି ଏବଂ କଂଗ୍ରେସ ଏହାକୁ ନିର୍ବାଚନୀ ଚାଲ ବୋଲି କହୁଥିବା ବେଳେ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

ସେପଟେ ଦେଶର କିଛି ପେଟ୍ରାଲ ପମ୍ପ ମାଲିକ ଏହାକୁ ବିରୋଧ କରିଛନ୍ତି । ସେମାନଙ୍କର ଯୁକ୍ତି, ପେଟ୍ରୋଲ ପମ୍ପ ନେବା ପୂର୍ବରୁ ସେମାନେ ସବୁ ତଥ୍ୟ ଦେଇସାରିଛନ୍ତି । ଯାହା କି ଏବେ ବି ଡାଟାବେସରେ ରହିଛି । ହଠାତ ଏଭଳି ଗୋପନୀୟ ତଥ୍ୟ ମାଗିବାର ଉଦ୍ଦେଶ୍ୟ କଣ ତାହା ଜଣାପଡୁନି । ଏପରିକି ଓଡିଶା ପେଟ୍ରୋଲ ପମ୍ପ ମାଲିକ ସଂଘ ମଧ୍ୟ ସମାନ କଥା ଦୋହରାଇଛନ୍ତି । ଦେଶର ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ଏପରି ନିର୍ଦ୍ଦେଶନାମା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ଭୂମିକାକୁ ସନ୍ଦେହ ଘେରକୁ ଆଣିଛି ।