କେନ୍ଦ୍ରୀୟ ନେତାଙ୍କ ଘନଘନ ଆକ୍ରମଣ । କେନ୍ଦ୍ରୀୟ ନେତାଙ୍କ ଟାର୍ଗେଟରେ ଭିକେ ପାଣ୍ଡିଆନ । ଏପଟେ ଟୁରିଷ୍ଟ ନେତା କହି ଘେରିଲା ବିଜେଡି ।

72

କନକ ବ୍ୟୁରୋ: ମାଳ-ମାଳ କେନ୍ଦ୍ରୀୟ ନେତାଙ୍କ ଘନଘନ ଆକ୍ରମଣ । ଗୋଟିଏ ଦିନରେ ୩-୩ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏକାଧିକ ସାଂସଦ ଓ କେନ୍ଦ୍ରମନ୍ତ୍ରୀ । ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ଯେମିତି ବିଜେପି ସବୁ ବଳ ଖଟାଇ ଦେଇଛି । କିଏ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି, ତ ଆଉ କିଏ ବିଜେଡିର ଦୁଇନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କୁ କରୁଛନ୍ତି ସମାଲୋଚନା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କବିସୂର୍ଯ୍ୟ ନଗର, କଣ୍ଟାବାଞ୍ଜି, ଲୋଇସିଂହା ଏବଂ କଣାସରେ ନିର୍ବାଚନୀ ସଭା କରିବା ସହ ବିଜେଡିର ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ।

  • କେନ୍ଦ୍ରୀୟ ନେତାଙ୍କ ଟାର୍ଗେଟରେ ପାଣ୍ଡିଆନ
  • ଟୁରିଷ୍ଟ ନେତା କହି ଘେରିଲା ବିଜେଡି

ଏପଟେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିଷ୍ଣୁଦେବ ସାଏ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଏବଂ ରାଜଗାଙ୍ଗପୁରରେ ନିର୍ବାଚନୀ ସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆଉ କୁଚିଣ୍ଡା କେଶାଇବାହାଲରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ସମାବେଶରେ ଛତିଶଗଡ଼ର ଅର୍ଥମନ୍ତ୍ରୀ ଓମ୍ ପ୍ରକାଶ ଚୌଧୁରୀ ପ୍ରଚାର କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ସାନଖେମୁଣ୍ଡି, ଦଶପଲ୍ଲା ଏବଂ ଜି ଉଦୟଗିରୀରେ ସଭା କରି ରାଜ୍ୟ ସରକାରଙ୍କୁ ସମାଲୋଚନା ଓ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ କରିଛନ୍ତି ।

ଏପଟେ ବିଜେପିର ସମସ୍ତ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ବିଜେଡି ନେତା । ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଟୁରିଷ୍ଟ ନେତା ବୋଲି କହିବା ସହ ବିଜେଡିର ବଡ଼ ବିଜୟ ହେବ ଦମ୍ଭୋକ୍ତି କରିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ନେତାଙ୍କ ଲମ୍ବା ଧାଡି ଦେଖିଲେ ଲାଗୁଛି ଓଡିଶାରେ ଡବଲ ଇଞ୍ଜିନ ସରକାର ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେପି । ଆଉ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନେତା ଓ ସରକାରଙ୍କୁ ସମାଲୋଚନାର ମାଧ୍ୟମକୁ ବାଛିନେଇଛି । ବିଜେଡି ମଧ୍ୟ ଏହି ରଣନୀତିକୁ ବୁଝି ଜବାବ ଦେଉଛି ।