୧୮ ଦିନ ବନ୍ଦ ରହିବା ପରେ ଖୋଲିଲା ମାର୍କେଟ ବିଲଡିଂ, ୧୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ

1,283

କନକ ବ୍ୟୁରୋ : ୧୮ ଦିନ ପରେ ଖୋଲିଲା ରାଜଧାନୀର ମାର୍କେଟ ବିଲଡିଂ । ମାର୍କେଟ ବିଲଡିଂ ଖୋଲିଥିବା ନେଇ ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ ୧୮ ଦିନ ମାର୍କେଟ ବିଲଡିଂ ବନ୍ଦ ରହିବାକୁ ଦୁଃଖଦାୟକ ବୋଲି କୁହାଯାଇଛି । ଏହି ବନ୍ଦ ଅବଧି ମଧ୍ୟରେ ମାର୍କେଟ ବିଲଡିଂ ବ୍ୟବସାୟୀଙ୍କର ୧୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆସୋସିଏସନ ଆକଳନ କରିଛି । ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ଯୋଗୁଁ ବାଧ୍ୟ ହୋଇ ଦୋକାନ ବନ୍ଦ କରାଯାଇଥିବା କଥା ଆସୋସିଏସନ କହିଛି । ଏବେ ମାର୍କେଟ ବିଲଡିଂ ଖୋଲିବା ପରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ତରଫରୁ କିଛି ନିୟମ ଜାରି କରାଯାଇଛି । ଏହି ନିୟମ ମୁତାବକ ଏବେ ଉଭୟ ଗେଟ୍ ନିକଟରେ କେହି ଜବରଦଖଲ କରି ଦୋକାନ ଖୋଲିପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ମାର୍କେଟ୍ ବିଲଡିଂ ପକ୍ଷରୁ ଏକ କୋର କମିଟି ଗଠନ କରାଯିବ ।

କହିରଖୁ କି ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ବ୍ୟବସାୟୀ ସଂଘ ମଧ୍ୟରେ ଲାଗିଥିବା ବିବାଦ ଯୋଗୁଁ ଦୀର୍ଘ ୧୮ ଦିନ ହେବ ମାର୍କେଟ ବିଲଡିଂ ବନ୍ଦ ରହିଥିଲା । ବିଭିିନ୍ନ ସ୍ତରରେ ଆଲୋଚନା ପରେ ଆଜି ମାର୍କେଟ ବିଲଡିଂ ଖୋଲାଯାଇଛି ।